ଓଡିଶା

odisha

ହିମାଚଳରେ ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ, ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ: କାଲି ପୂର୍ବାହ୍ନରେ ଶପଥ ସମାରୋହ

By

Published : Dec 10, 2022, 9:14 PM IST

ଆସନ୍ତାକାଲି ପୂର୍ବାହ୍ନରେ ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାରର ଶପଥ ସମାରୋହ । ଉପମୁଖ୍ୟମନ୍ତ୍ରୀ ହେବେ ମୁକେଶ ଅଗ୍ନିହୋତ୍ରୀ (Mukesh Agnihotri to be Deputy CM of Himachal) । ଶପଥ ସମାରୋହରେ ସାମିଲ ହେବେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ରାହୁଲ ଓ ପ୍ରିୟଙ୍କା । ଅଧିକ ପଢନ୍ତୁ

ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ, ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ: କାଲି ପୂର୍ବାହ୍ନରେ ଶପଥ ସମାରୋହ
ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ, ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ: କାଲି ପୂର୍ବାହ୍ନରେ ଶପଥ ସମାରୋହ

ହାଇଦ୍ରାବାଦ:ହିମାଚଳ ପ୍ରଦେଶରେ ଗଠନ ହେବାକୁ କଂଗ୍ରେସ ସରକାର । କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବେ (Mukesh Agnihotri to be Deputy CM of Himachal) । ଏନେଇ ଅପରାହ୍ନରୁ ଲାଗି ରହିଥିବା ଚର୍ଚ୍ଚାକୁ ସମାପ୍ତ କରି ପାର୍ଟି ଆନୁଷ୍ଠାନିକ ଭାବେ ଉଭୟଙ୍କ ନାମ ଘୋଷଣା କରିଛି । ସେହିପରି ଆସନ୍ତାକାଲି ପୂର୍ବାହ୍ନ 11 ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ହିମାଚଳ ଗସ୍ତରେ ଥିବା ଛତିଶଗଡ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲ ସୂଚନା ଦେଇଛନ୍ତି ।

ଆଜି ଅପରାହ୍ନରେ ବସିଥିବା ବିଧାୟକ ଦଳରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କଂଗ୍ରେସ ହାଇକମାଣ୍ଡ ମଧ୍ୟ ନିଷ୍ପତ୍ତିକୁ ଅନୁମୋଦନ କରିଥିଲେ । ବୈଠକ ଶେଷ ହେବା ପରେ ଦଳୀୟ ନେତା ରାଜ୍ୟଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ କରିବାର ଦାବି ଜଣାଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ଏଥିରେ ସୁଖୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେବା ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂ ହୁଡା ସୂଚନା ଦେଇଛନ୍ତି ।

ବିଧିବଦ୍ଧ ଭାବେ ନାମ ଘୋଷଣା ପରେ ଭାବି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ନିଷ୍ପତ୍ତି ପାଇଁ ଦଳକୁ ଧନ୍ୟବାଦ ଦେଇଛନ୍ତି ସୁଖୁ । ସେ କହିଛନ୍ତି, ‘‘ଉପମଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କୁ ଏବଂ ମୁଁ ମିଳିତ ଭାବେ ରାଜ୍ୟ ପାଇଁ କାର୍ଯ୍ୟ କରିବୁ । ମାତ୍ର 17 ବର୍ଷ ବୟସରେ ମୁଁ ମୋର ରାଜନୈତିକ ଜୀବନ ଆରମ୍ଭ କରିଥିଲି । କଂଗ୍ରେସ ଦଳ ମୋ ପାଇଁ ଯାହା କରିଛି ତାହା ମୁଁ କେବେ ବି ଭୁଲି ପାରିବି ନାହିଁ । ମତେ ମୁଖ୍ଯମନ୍ତ୍ରୀ ଚୟନ କରିବା ପାଇଁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଉଛି । କଂଗ୍ରେସ ସରକାର ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଚି । ହିମାଚଳ ପ୍ରଦେଶବାସୀଙ୍କୁ ଦଳ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ମୋର ପ୍ରାଥମିକ ଦାୟିତ୍ୱ ।’’

ଅନ୍ୟପଟେ ପ୍ରାରମ୍ଭରୁ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ତଥା ବର୍ତ୍ତମାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ବୀରଭଦ୍ର ସିଂଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା । ସେହିପରି ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ଲବିରେ ଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ହେଲେ ଆଜି ବୈଠକ ପରେ ବୀରଭଦ୍ର ସିଂ ପରିବାରର କାହାକୁ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ମଧ୍ୟ କରିନି ଦଳ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ପରେ ରାଜଧାନୀ ଶିମଲାରେ ପ୍ରତିଭା ସିଂଙ୍କ ସମର୍ଥକମାନେ ଏକାଠି ହୋଇ ନିଷ୍ପତ୍ତି ବିରୋଧରେ ନାରାବାଜୀ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details