ଓଡିଶା

odisha

By ETV Bharat Odisha Team

Published : Dec 6, 2023, 2:41 PM IST

ETV Bharat / bharat

କରଣୀ ସେନା ମୁଖ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ: 2 ସୁଟରଙ୍କ ମଧ୍ୟରୁ ଜଣେ ସେନା ଯବାନ

Sukhdev Singh Gogamedi murder case: କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। 2 ଜଣ ହତ୍ୟାକାରୀଙ୍କୁ ଚିହ୍ନଟ ସହ ଫଟୋ ଜାରି କରିଛି ରାଜସ୍ଥାନ ପୋଲିସ। ହତ୍ୟାକାରୀଙ୍କ ମଧ୍ଯରେ ଅଛନ୍ତି ଜଣେ ସେନା ଯବାନ । ଅଧିକ ପଢ଼ନ୍ତୁ

କରଣୀ ସେନା ମୁଖ୍ୟ ସୁଖଦେବ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ହତ୍ୟାକାରୀଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ
କରଣୀ ସେନା ମୁଖ୍ୟ ସୁଖଦେବ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ହତ୍ୟାକାରୀଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ

ଜୟପୁର: ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ସୁରାକ। ସୁଖଦେବ ସିଂହଙ୍କୁ ଗୁଳି କରି ହତ୍ୟା କରିଥିବା ଦୁଇ ଜଣ ଆସାମୀଙ୍କୁ ଚିହ୍ନଟ କରିଛି ରାଜସ୍ଥାନ ପୋଲିସ । ସେମାନେ ହେଲେ ରୋହିତ ରୋଠୋର ଏବଂ ନୀତିନ ଫୌଜଦାର। ସିସିଟିଭି ଫୁଟେଜକୁ ଆଧାର କରି ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି ପୋଲିସ।

ଗତକାଲି ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ଜୟପୁରର ଶାମାନଗର ବାସଭବନରେ କିଛି ସହଯୋଗୀଙ୍କ ସହ ବସିଥିବା ବେଳେ, 4 ଜଣ ଦୁର୍ବୃତ୍ତ ଘରେ ପଶି ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ସୁଖଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ତାଙ୍କର ଜଣେ ଅଙ୍ଗରକ୍ଷୀ ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଥିଲେ।

ଗତକାଲିର ଏହି ହତ୍ୟାକାଣ୍ଡ ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ। ପୋଲିସ ଟିମ୍ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ, ଦୁଇ ସୁଟରଙ୍କୁ ଚିହ୍ନଟ କରିଛି । ହତ୍ୟାକାରୀ ରୋହିତ ଏବଂ ନୀତିନଙ୍କୁ ଚିହ୍ନଟ କରିବା ସହ ଦୁହିଁଙ୍କ ଫଟୋ ଜାରି କରାଯାଇଛି। ହତ୍ୟାକାରୀଙ୍କ ମଧ୍ୟରେ ଥିବା ନୀତିନ ଜଣେ ସେନା କର୍ମଚାରୀ । ଭାରତୀୟ ସେନାରେ ଚାକିରି କରୁଥିବା ନୀତିନ ଗତ ନଭେମ୍ବର ମାସରେ ଛୁଟିରେ ଘରକୁ ଆସିଥିଲେ। ପୋଲିସ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଅପରେସନ ଆରମ୍ଭ କରିଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ନୀତିନ ସେନାବାହିନୀରେ କାମ କରନ୍ତି। ତାଙ୍କ ଘର ହରିୟାଣାରେ। ସେପଟେ ରୋହିତ ରାଠୋର ରାଜସ୍ଥାନର ନାଗଉର ଅଞ୍ଚଳର। ନୀତିନ ନଭେମ୍ବରରେ ଛୁଟିରେ ଘରକୁ ଫେରିଥିବା ବେଳେ, ଝୋଟୱାରାରେ ତାଙ୍କର ଏକ କପଡ଼ା ଦୋକାନ ଅଛି। ସୂତ୍ର ଅନୁସାରେ, ନୀତିନ ରାଜସ୍ଥାନର ଜଣେ ମହିଳାଙ୍କୁ ବିବାହ କରିଛନ୍ତି।

ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ସୂଚନା ଦେଇଛନ୍ତି ଯେ, ସୁଖଦେବ ସିଂହ ନିଜର କିଛି ସହଯୋଗୀଙ୍କ ସହ ଘରେ ବସିଥିବା ବେଳେ, 4 ଜଣ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ । ଅଭିଯୁକ୍ତମାନେ ପ୍ରଥମେ କଥାବାର୍ତ୍ତା କରିବା ପରେ, ହଠାତ ଗୁଳି ଚଳାଇଥିଲେ । ଏଥିରେ କରଣୀ ସେନା ମୁଖ୍ୟ ସୁଖଦେବଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପାଇଁ ରୋହିତ ଗୋଦରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସେପଟେ ସୁକଦେବ ସିଂହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ରାଜସ୍ଥାନ ବନ୍ଦ ଡାକରା ଦିଆଯାଇଛି । ହତ୍ୟାକାରୀମାନଙ୍କୁ ଶୀଘ୍ର ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁଖଦେବଙ୍କ ସମର୍ଥକ । ରାଜ୍ୟରେ ବିଧାନସଭା ନିର୍ବାଚନ ସରିଥିବା ବେଳେ, ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ନୂଆ ସରକାରର ଶପଥ ଗ୍ରହଣ କରାଇ ଦିଆଯିବ ନାହିଁ ବୋଲି ଧମକ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details