ନୂଆଦିଲ୍ଲୀ: ପୂର୍ବରୁ ନ୍ୟୁକ୍ଲିୟର ଟ୍ରାଏଡ୍ ଗ୍ରୁପରେ ସାମିଲ ହୋଇଥିବା ଭାରତକୁ ପୁଣି ମିଳିଲା ଜବରଦସ୍ତ ସଫଳତା । ଭାରତ ମହାସାଗର ସମେତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଚେକ୍ ଦେବାକୁ ବଢିଲା ଭାରତର ଶକ୍ତି । ଜଳ, ସ୍ଥଳ ଏବଂ ଆକାଶରୁ ନିକ୍ଷେପ ହୋଇପାରୁଥିବା ଆଣବିକ ମିସାଇଲ୍ ପ୍ରୋଗ୍ରାମ (ନ୍ୟୁକ୍ଲିୟର ଟ୍ରାଏଡ୍)ର ସଫଳତାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ । ଭାରତ ଆଜି ବଙ୍ଗୋପସାଗରରେ ମହାଗର୍ଜନ କରିଛି । ଆଣବିକ ବୁଡାଜାହାଜ ଆଇଏନଏସ୍ ଆରିହନ୍ତରୁSLBM (Submarine Launched Ballistic Missile)ର ସଫଳ ପରୀକ୍ଷଣ ହୋଇଛି । ଆଜିର ଏହି ପରୀକ୍ଷଣ ପରେ ନୌସେନାର ଶକ୍ତି ବୃଦ୍ଧି ହେବା ସହିତ ଶତୃକୁ ଗଭୀର ସମୁଦ୍ରରେ ମାତ ଦେବା ଏବଂ ସମୁଦ୍ରରୁ ଶତୃର ଛାତିକୁ ଲକ୍ଷ୍ୟଭେଦ କରିବା ସହଜ ହେବ ।
INS ଆରିହନ୍ତ ନ୍ୟୁକ୍ଲିୟର ସବ୍ମେରାଇନ୍ (ଆଣବିକ ବୁଡାଜାହାଜ)ରୁ ବାଲାଷ୍ଟିକ୍ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି । ପୂର୍ବ ନିର୍ଦ୍ଧାରିତ ରେଞ୍ଜ୍ରେ ଏହା ଟାର୍ଗେଟକୁ ସଫଳତାର ସହ ହିଟ୍ କରିଛି । ବଙ୍ଗୋପ ସାଗରରେ ଏହାର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷଣ ବେଳେ ବାଲିଷ୍ଟିକ୍ ମିସାଇଲ୍ର କାର୍ଯ୍ୟ କ୍ଷମତା ଓ ବୈଷୟିକ ପାରାମିଟର ଉପରେ ନଜର ରଖିଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।