ବେଙ୍ଗାଲୁରୁ: ନିଆରା ଢ଼ଙ୍ଗରେ ବଦଳି ଶିକ୍ଷକଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନାରେ ଉପହାର ସ୍ବରୁପ ବାଇକ ଗିଫ୍ଟ କଲେ ଛାତ୍ରଛାତ୍ରୀ । ତେବେ ଦୀର୍ଘ 16 ବର୍ଷ ଧରି ଶିକ୍ଷକ ଜଣଙ୍କ ଗୋଟିଏ ସ୍କୁଲରେ ଶିକ୍ଷାଦାନ କରୁଥିବା ବେଳେ ସେ ଅନ୍ୟ ଏକ ସ୍ଥାନକୁ ବଦଳି ହୋଇଛନ୍ତି । ଏହି ଅବସରରେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଏକ ପଲସର ବାଇକ ଉପହାର ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ଉପାନ୍ତ ଅଞ୍ଚଳରେ ।
ସୂଚନା ଅନୁସାରେ, କର୍ଣ୍ଣାଟକର ସାଗର ତାଲୁକ ଠାରୁ 80 କିମି ଦୂର ପାହାଡ଼ ଅଞ୍ଚଳ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏକ ଛୋଟ ଗାଁ ଭାଲୁର । ଦୀର୍ଘ 16 ବର୍ଷ ପୂର୍ବେ ସନ୍ତୋଷ କାଞ୍ଚନ ନାମକ ଜଣେ ଶିକ୍ଷକ ଭାଲୁର ଗାଁ ସ୍କୁଲକୁ ଆସିଥିଲେ । ଏଠାରେ ଦୀର୍ଘ ବର୍ଷ ଧରି ଶିକ୍ଷାକତା କରିବା ସମୟରେ କେବଳ ସ୍କୁଲ ସମୟ ଅବଧି ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ । ତାଙ୍କ ଠାରୁ ଶିକ୍ଷାଲାଭ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନକୁ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି । କେବଳ ଶିକ୍ଷାକତା ନୁହେଁ ବରଂ ଅନେକ ସମୟରେ ଭାଲୁର ଗ୍ରାମବାସୀଙ୍କ ଅସୁବିଧା ସମୟରେ ସେମାନଙ୍କୁ ସାହଯ୍ୟ କରିଛନ୍ତି । ଶିକ୍ଷକଙ୍କ ଏଭଳି ଉଦାରତା ପାଇଁ ସେ ଛାତ୍ରଛାତ୍ରୀ ତଥା ଗ୍ରମବାସୀଙ୍କର ପ୍ରିୟ ଶିକ୍ଷକ ଥିଲେ । ବର୍ତ୍ତମାନ ଶିକ୍ଷକ ଜଣଙ୍କର କୁଣ୍ଡାପୁରରେ ଥିବା ୱାରହି ସରକାରୀ ବିଦ୍ୟାଳକୁ ବଦଳି ହୋଇଛି । ଛାତ୍ରଛାତ୍ରୀ ଓ ଗ୍ରାମବାସୀମନେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜନ କରିଥିଲେ । ତେବେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ଉପହାର ସ୍ବରୁପ ଏକ ପଲସର ବାଇକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଏଭଳି ସ୍ଥିତିରେ ସମସ୍ତଙ୍କ ହୃଦୟ ଜିତିଥିବା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ବିଦ୍ୟାଳୟରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ତେବେ ଗ୍ରାମବାସୀ ଶ୍ରୀଧର କହିଛନ୍ତି, "ସନ୍ତୋଷ ଦୀର୍ଘ 16 ବର୍ଷ ଧରି ଆମ ଗାଁରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଯେତେବେଳେ ଆମ ଗାଁରେ କାହା ପାଖରେ ଗାଡ଼ି ନଥିଲା ସେତେବେଳେ ତାଙ୍କ ବାଇକ ସମସ୍ତଙ୍କ ଦରକାର ସମୟରେ ସାହଯ୍ୟରେ ଆସୁଥିଲା । ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେବାକୁ ସନ୍ତୋଷ ତାଙ୍କ ବାଇକରେ ନେଇ ଯାଉଥିଲେ । ତାଙ୍କ ବାଇକ ଆମ ଗାଁରେ ଏକ ଆମ୍ବୁଲାନ୍ସ ଭାବରେ କାର୍ଯ୍ୟ କରୁଥିଲା । ଦିନରାତି ସବୁବେଳେ ସେ ଗ୍ରାମବାସୀଙ୍କୁ ସାହଯ୍ୟ କରୁଥିଲେ । ଗାଁର ଅନେକ ଛାତ୍ରଛାତ୍ରୀ ତାଙ୍କ ଠାରୁ ଶିକ୍ଷା ଲାଭ କରି ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଛନ୍ତି । ଏହା ବେବଳ ସନ୍ତୋଷଙ୍କ ପାଇଁ ସମ୍ଭବ ହୋଇପାରିଛି । ଆମେ ସବୁଦିନ ପାଇଁ ସନ୍ତୋଷଙ୍କୁ ମନେ ରଖିବୁ ।"