ମୁମ୍ବାଇ:ବିଦ୍ୟାଳୟରେ 'ଜୟ ଶ୍ରୀରାମ' ନାରାକୁ ନେଇ ହଙ୍ଗାମା । ମହାରାଷ୍ଟ୍ରର କୋହ୍ଲାପୁର ପ୍ରାଇଭେଟ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଉତ୍ତର ଖାତାରେ 'ଜୟ ଶ୍ରୀରାମ' ଲେଖିଥିବାରୁ ଶିକ୍ଷକ ଏହାକୁ ନେଇ ଛାତ୍ରଙ୍କୁ ଆକଟ କରିଥିଲେ । ଆଉ ଏହା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା । ହିନ୍ଦୁତ୍ବବାଦୀ ସଂଗଠନର ସଦସ୍ୟ ସ୍କୁଲକୁ ଆସି ହଙ୍ଗାମା କରିଥିଲେ । ଦୀର୍ଘ ସମୟ ଧରି ସ୍କୁଲ ସମ୍ମୁଖରେ ହଙ୍ଗାମା ପରେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶିକ୍ଷା ଅଧିକାରୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିଲେ ।
ତେବେ ଦଶମ ଶ୍ରେଣୀ ଛାତ୍ର 'ଜୟ ଶ୍ରୀରାମ' ଲେଖିବା ଘଟଣା ଉଗ୍ର ରୂପ ନେଇଛି । ଛାତ୍ର ଜଣକ ଉତ୍ତର ଖାତାରେ 'ଜୟ ଶ୍ରୀରାମ' ଲେଖିଥିବାବେଳେ ଏହାକୁ ନେଇ ଗାଳି ଗୁଲଜ କରିଥିଲେ ଶିକ୍ଷକ । ଆଉ ନିମିଷକରେ ଏହି କଥା ପ୍ରଘଟ ହୋଇଯାଇଥିଲା । ଯାହାକୁ ନେଇ ଜୋର ଧରିଛି ବିବାଦ । ତେବେ 'ଜୟ ଶ୍ରୀରାମ' ଲେଖିବାକୁ ନେଇ ଛାତ୍ରଙ୍କୁ ଗାଳି ଦେବା ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ସ୍କୁଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।
ତେବେ ସ୍କୁଲ ପରିସରରେ ପହଞ୍ଚି ହିନ୍ଦୁତ୍ବବାଦୀ ସଂଗଠନମାନେ ଶିକ୍ଷକଙ୍କ ଉପରେ ବର୍ଷିଛନ୍ତି । "କାହାରି ଧର୍ମୀୟ ଭାବାବେଗକୁ ଆଘାତ କରିବା ଉଚିତ ନୁହେଁ" ବୋଲି କହି ପ୍ରତିବାଦ କରିଛନ୍ତି ହିନ୍ଦୁତ୍ବବାଦୀ ସଂଗଠନ । ଏହାସହ ଶିକ୍ଷକଙ୍କ ଏଭଳି ଆଚରଣକୁ ବିରୋଧ କରି ତାଙ୍କୁ ନିଲମ୍ବନ କରିବାକୁ ଦାବି ଜୋର ଧରିଥିଲା । ଯାହାକୁ ନେଇ ଅନେକ ସମୟ ଧରି ବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।