ଲକ୍ଷ୍ନୌ:ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାରେ ଛାତ୍ରଙ୍କ ଅଭାବନୀୟ କାଣ୍ଡ (Student jumps from 2nd floor of School) । ହୋମୱାର୍କ କରିନପାରିବା ପରେ ଶିକ୍ଷକଙ୍କ ଡରରେ ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରଙ୍କୁ ଗମ୍ଭୀର ଅବସ୍ଥାରେ ଜେଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକ ଛାତ ଉପରୁ ଡେଉଁଥିବାର ଦୃଶ୍ୟ ସ୍କୁଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାଟି ବନ୍ନୋଦେବୀ ଅଞ୍ଚଳରେ ଅବସ୍ଥିତ ଏକ ସ୍କୁଲର ବୋଲି ଜଣାପଡ଼ିଛି ।
ଗବନାର ବାସିନ୍ଦା ସଞ୍ଜୀବ କୁମାର ସିଂ ସୁରକ୍ଷ ବିହାର ତ୍ରିମୂର୍ତ୍ତି ନଗରରେ ରୁହନ୍ତି ଏବଂ ଏକ ଦୁଗ୍ଧଜାତୀୟ ପଦାର୍ଥ ମିଳୁଥିବା ଦୋକାନ ଚଳାନ୍ତି । ତାଙ୍କର ଏକମାତ୍ର ପୁଅ ମୟଙ୍କ (୧୪ ) ଥାନା ବନ୍ନୋଦେବୀ ଅଞ୍ଚଳର ଏକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର । ସଞ୍ଜୀବ କୁମାର ଶୁକ୍ରବାର ସକାଳେ ମୟଙ୍କଙ୍କୁ ସ୍କୁଲକୁ ଛାଡିଥିଲେ। ବିଦ୍ୟାଳୟ ପରିଚାଳନା ଅନୁଯାୟୀ ଉର୍ଦ୍ଦୁ ଶିକ୍ଷକ କ୍ଲାସ ନେଉଥିଲେ। ଖାତା ଯାଞ୍ଚ ସମୟରେ ମୟଙ୍କର ହୋମୱାର୍କ ସରିନଥିଲା । ତାକୁ ପାଠ ପୁରା କରିବାକୁ କୁହାଯାଇଥିଲା । ସେ କାମ ଶେଷ କରୁଥିବା ବେଳେ ମଝିରେ ହଠାତ୍ କ୍ଲାସରୁ ବାହାରକୁ ଆସିଥିଲା । ଆଉ ଏହାପରେ ଦ୍ବିତୀୟ ମହଲାରୁ ଡେଇଁ ପଡିଥିବା ଜଣାପଡ଼ିଛି ।