ଓଡିଶା

odisha

ପ୍ରାକ୍ଟିକାଲ କ୍ଲାସରେ ଛାତ୍ରର ଛୁରାମାଡରେ ଶିକ୍ଷକ ଗୁରୁତର

By

Published : Jan 19, 2023, 10:36 PM IST

ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କୁ ଛୁରୀ ଭୁସି ଛାତ୍ରଙ୍କ ହତ୍ୟା ଉଦ୍ୟମ । ଗୁରୁତର ଶିକ୍ଷକ ହସ୍ପିଟାଲରେ ଭର୍ତ୍ତି । ପ୍ରାଟିକାଲ କ୍ଲାସରେ ଅତର୍କିତ ଆକ୍ରମଣ କଲେ 3 ଛାତ୍ର ।

ପ୍ରାକ୍ଟିକାଲ କ୍ଲାସରେ ଶିକ୍ଷକଙ୍କୁ ଛାତ୍ରର ଛୁରାମାଡ
ପ୍ରାକ୍ଟିକାଲ କ୍ଲାସରେ ଶିକ୍ଷକଙ୍କୁ ଛାତ୍ରର ଛୁରାମାଡ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦ୍ରପୁରୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କ ଛୁରାମାଡରେ ଶିକ୍ଷକ ଗୁରୁତର ହୋଇଛନ୍ତି । ଶିକ୍ଷକଜଣଙ୍କ ପ୍ରାଟିକାଲ କ୍ଲାସ ନେବାକୁ ଆସିଥିବା ବେଳେ ଏକାଧିକ ଛାତ୍ର ତାଙ୍କୁ ଛୁରାମାଡ କରି ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ପ୍ରାୟ 3ଜଣ ଛାତ୍ର ଏପରି କାଣ୍ଡ ଭିଆଇଛନ୍ତି । ଗୁରୁତର ଶିକ୍ଷକଙ୍କୁ ସ୍ଥାନୀୟ ବି.ଏଲ୍ କପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପେଟ ସମେତ ଶରୀରର ଏକାଧିର ଅଙ୍ଗରେ ଗଭୀର ଆଘାତ ଲାଗିଛି ।

ଶହୀଦ୍ କ୍ୟାପଟେନ ଅମିତ ବର୍ମା ସରକାରୀ ବିଦ୍ୟାଳୟର ଶିକ୍ଷକ ଭୁଦେବ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ କ୍ଲାସ ନେବା ପାଇଁ ଶ୍ରେଣୀଗୃହରେ ପହଞ୍ଚିଥିଲେ । ଏହି ସମୟରେ ଆକ୍ରମଣ କରିବା ପାଇଁ ପୂର୍ବରୁ ଯୋଜନାବଦ୍ଧ ଭାବେ ଅପେକ୍ଷା କରିଥିବା ଜଣେ ଛାତ୍ର ତାଙ୍କ ଉପରେ ଅତର୍କିତ ଛୁରୀରେ ଆକ୍ରମଣ କରିଥିଲା । ଏହି ଛାତ୍ରକୁ ତାର ଅନ୍ୟ ଦୁଇ ସହପାଠୀ ମଧ୍ୟ ସହଯୋଗ କରିଥିଲେ । ମରାଣାନ୍ତକ ଆକ୍ରମଣ କରି ସମସ୍ତ 3 ଆକ୍ରମଣକାରୀ ଛାତ୍ର ସ୍କୁଲ ପରିସରରୁ ଫେରାର ହୋଇଯାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକ ଭୁଦେବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ପ୍ରାଥମିକ ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କୁ ଜେରା ଜାରି ରହିଥିଲେ ସୁଦ୍ଧା ଆକ୍ରମଣର କାରଣ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ସେହିପରି ଆକ୍ରମଣରେ ବ୍ୟବହୃତ ଛୁରୀ ଓ କ୍ଲାସରୁମର ଅନ୍ୟ କିଛି ସାମଗ୍ରୀ ପୋଲିସ ଜବତ କରିଛି । ସ୍କୁଲର ଅନ୍ୟ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରିଛି । ପରୀକ୍ଷା ଫଳାଫଳ କିମ୍ବା ଅନ୍ୟ କୌଣସି କାରଣ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଛାତ୍ରମାନେ ଶିକ୍ଷକଙ୍କୁ ଆକ୍ରମଣ କଲେ ସେନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ଶିକ୍ଷକଜଣଙ୍କୁ ପ୍ରାୟ 5 ଥର ଛୁରୀରେ ଆକ୍ରମଣ ହୋଇଛି । ପେଟ ସମେତ ଅନ୍ୟ ସ୍ଥାନ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସ୍କୁଲ ପରି ଏକ ଶୃଙ୍ଖଳିତ ସ୍ଥାନରେ ଛାତ୍ରଛାତ୍ରୀ ମାରଣାସ୍ତ୍ର ନେଇ ଶ୍ରେଣୀଗୃହକୁ ଆସିବା । ଜଣେ ଶିକ୍ଷକଙ୍କୁ ମରଣାତଙ୍କ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଘଟଣା ସ୍କୁଲ କର୍ତ୍ତୃପକ୍ଷଙ୍କ ମନରେ ଭୟ ସଞ୍ଚାର କରିଛି । ସେହିପରି ଏହି ଘଟଣା ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details