ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ଆସିଛି । ପବନର ବେଗ ଏବଂ ହାଲୁକା ବର୍ଷା କାରଣରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଯଥେଷ୍ଟ ଉନ୍ନତି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସକାଳ 9 ଟାରେ 271 ରହିଥିବା ବେଳେ ଗତ 24 ଘଣ୍ଟାରେ ହାରାହାରି ବାୟୁ ଗୁଣବତ୍ତା 284 ଥିଲା । ପଡୋଶୀ ସହର ଗାଜିଆବାଦ 330, ଗ୍ରେଟର ନୋଏଡା 322 ଏବଂ ନୋଏଡା 310 'ଅତ୍ୟନ୍ତ ଖରାପ' ବର୍ଗରେ ବାୟୁ ଗୁଣବତ୍ତାକୁ ରେକର୍ଡ କରାଯାଇଛି । ବାୟୁର ପ୍ରବାହରେ ଉନ୍ନତି ହେତୁ ଶନିବାର ଏବଂ ରବିବାର ଦିନ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହେବ ବୋଲି କେନ୍ଦ୍ର ସରକାରଙ୍କ ଏୟାର କ୍ବାଲିଟି ୱାର୍ଣ୍ଣିଙ୍କ ସିଷ୍ଟମ ପକ୍ଷରୁ ଜଣାପଡିଛି । ବାୟୁ ଗୁଣବତ୍ତାକୁ ସରକାରଙ୍କ ତରଫରୁ ବିଭିନ୍ନ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି । 0ରୁ 50କୁ ଭଲ, 51-100 ସନ୍ତୋଷଜନକ, 101-200 ମଧ୍ୟମ, 201-300 ଖରାପ, 301-400 ଅତ୍ୟନ୍ତ ଖରାପ, 401-500 ବାୟୁ ଗୁଣବତ୍ତାକୁ ଭୀଷଣ ଆଦିରେ ତାଲିକାଭୁକ୍ତ କରାଯାଇଛି ।