ନୂଆଦିଲ୍ଲୀ:ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ବଡ ଧରଣ ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ଆଜି ଅପରାହ୍ନରେ 5.6 ମ୍ୟାଗ୍ନିଚ୍ଯୁଡ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଆଜି ଅପରାହ୍ନ 4.16ରେ ଏହି କମ୍ପନ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଥିବାର ସୂଚନା ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।
ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଉତ୍ତରରେ 233 କି.ମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଦିଲ୍ଲୀ-ଏନସିଆର ଓ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଏହି କମ୍ପନର ଝଟକା ଲାଗିଛି । ନେପାଳରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ କିମ୍ବା ଅନ୍ୟ ସ୍ଥାନରୁ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନି । କୌଣସି ପରବର୍ତ୍ତୀ ଆଲର୍ଟ ମେସେଜ ମଧ୍ୟ ଜାରି କରାଯାଇନି ।
ଶୁକ୍ରବାର ନେପାଳରେ 6.4 ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 157 ଲୋକଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଘର ଭାଙ୍ଗି ପଡିଥିଲା ବେଳେ ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । 2015 ମସିହା ପରଠାରୁ ହିମାଳୟନ କ୍ଷେତ୍ରରେ ଅନୁଭୂତ ହୋଇଥିବା ଏହା ସବୁଠୁ ବଡ ଭୂକମ୍ପ ଥିଲା । ନେପାଳରେ ସର୍ବାଧିକ ସକ୍ରିୟ ଟେକ୍ଟୋନିକ ଜୋନ ରହିଛି । ଯାହାକି ଭୂକମ୍ପ ସୃଷ୍ଟି ହେବାର ସର୍ବାଧିକ ଆଶଙ୍କା ସୃଷ୍ଟି କରିଥାଏ ।