ହାଇଦ୍ରାବାଦ:ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି । ଭାରତ ବାହାରେ ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଦୀପାବଳି ପାଳନ କରୁଛନ୍ତି । ବିଦେଶରୁ ମଧ୍ୟ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ସମଗ୍ର ବିଶ୍ୱରେ ଦୀପାବଳି ପାଳନ କରୁଥିବା ସମସ୍ତ ଧର୍ମାବଲମ୍ବୀଙ୍କୁ ଦୀପାବଳିର ଶୁଭକମନା ଜଣାଇଛନ୍ତି । ଅଜ୍ଞତା, ଘୃଣା ଓ ବିଭାଜନର ଅନ୍ଧକାର ଉପରେ ଜ୍ଞାନ, ପ୍ରେମ ଓ ଏକତାର ଆଲୋକ ଅନୁସନ୍ଧାନ ବାର୍ତ୍ତାର ପ୍ରତୀକ ଦୀପାବଳି ବୋଲି ବାଇଡେନ କହିଛନ୍ତି ।
ଟ୍ବିଟରେ ବାଇଡେନ ଆହୁରି ମଧ୍ୟ କହିଛନ୍ତି, ‘‘ଏହା ଏକ ବାର୍ତ୍ତା ଯେ, ଗତ କିଛି କଠିନ ବର୍ଷରୁ ବାହାରି ଆମେ ଅଧିକ ଶକ୍ତିଶାଳୀ ହୋଇପାରିଛୁ । ତେଣୁ ଚଳିତ ବର୍ଷର ଏହି ପର୍ବ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେରିକାରେ ଓ ବିଶ୍ବରେ ପ୍ରାୟ ଏକ ବିଲିୟନରୁ ଅଧିକ ହିନ୍ଦୁ, ଜୈନ, ଶିଖ ଓ ବୈଦ୍ଧ ଧର୍ମାବଲମ୍ବୀ ପାଳନ କରିଥାନ୍ତି । ସେମାନଙ୍କୁ ଦୀପାବଳିର ଶୁଭକାମନା ଜ୍ଞାପନ କରୁଛୁ ।’’ ତେବେ ହ୍ବାଇଟ ହାଉସରେ ପ୍ରତ୍ୟେକ ବର୍ଷ ଦୀପାବଳି ପାଳନ କରାଯାଏ ।
ଗତବର୍ଷ ବାଇଡେନ ମଧ୍ୟ ପତ୍ନୀ ଜଲି ବାଇଡେନଙ୍କ ସହ ଦୀପ ପ୍ରଜ୍ଜଳନ କରି ହ୍ବାଇଟ ହାଉସରେ ଦୀପାବଳି ପାଳନ କରିଥିଲେ । ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶଜ କମଲା ହାରିଶ ମଧ୍ୟ ଦୀପାବଳି ପାଳନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାର ନ୍ୟୁୟର୍କ ସହରରେ ଦୀପାବଳି ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ବିଶ୍ବର ବିଭିନ୍ନ ଦେଶରେ ଥିବା ଭାରତୀୟମାନେ ଆଜି ବେଶ ଉତ୍ସାହର ସହ ଦୀପାବଳି ପାଳନ କରିଛନ୍ତି । ସେମାନଙ୍କ ସହ ସ୍ଥାନୀୟ ନାଗରିକମାନେ ମଧ୍ୟ ସାମିଲ ହେଉଛନ୍ତି ।