ପରିସଂଖ୍ୟନ କହୁଛି ଯେ, କୋଭିଡ ଟୀକାକରଣରେ ଆମେରିକା ଓ ବ୍ରିଟେନ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । କିନ୍ତୁ ଟିକେ ତଳ ପଟୁ ଯଦି ଦେଖିବା, ତାହା ହେଲେ ଏ କ୍ଷେତ୍ରରେ ଆମର ଅଗ୍ରଗତି ମାନ୍ଦା ରହିଛି ବୋଲି କୁହାଯାଇପାରିବ । ଆମେରିକାରେ କୋଭିଡ ଟିକାର ସାଢେ ୫ କୋଟି ଡୋଜ ଦିଆସରିଛି । ବ୍ରିଟେନରେ ୧ ଦଶମିକ ୬ କୋଟି ଡୋଜ ଲୋକଙ୍କୁ ଦିଆଯାଇଛି । ଭାରତରେ ଟୀକାକରଣ ଆରମ୍ଭ ହେବାର ମାସେ ବିତିଯାଇଥିଲେ ମଧ୍ୟ ୯୦ ଲକ୍ଷ ଡୋଜ ଦିଆଯାଇଛି । ଆମେରିକା ୧୨ଟି ବିଭିନ୍ନ ପ୍ରକାର ଟିକାର ୪୮୦ କୋଟି ଡୋଜ ପ୍ରସ୍ତୁତ କରିବାକୁ ଯାଉଛି । ଭାରତରେ ଆନୁମାନିକ ୩୬୦ କୋଟି ଡୋଜ ପ୍ରସ୍ତୁତ ହେବାକୁ ଯାଉଛି । ଉତ୍ପାଦନ କ୍ଷମତା ଓ ବ୍ୟବହାର ସ୍ତରରେ ବଡ ବ୍ୟବଧାନ ଉଦବେଗର ବିଷୟ ନିଶ୍ଚିତ । ଏ ଦୃଷ୍ଟିରୁ ନୀତିଗତ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ଅନୁଭୂତ ହେଉଛି ।
କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିରେ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯାଇଛି । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆସନ୍ତାମାସରୁ ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ । ଯଦି ବର୍ତ୍ତମାନର ଗତିରେ ଟୀକାକରଣ ଚାଲେ,ତାହା ହେଲେ ଟିକା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିବାକୁ ଅନ୍ତତଃ ୫ ବର୍ଷ ଲାଗିବ । ଉତ୍ପାଦନର ୬ ମାସ ମଧ୍ୟରେ ଯଦି ଦିଆ ନ ଯାଏ, ତାହା ହେଲେ କୋଭିଡ ଟିକାର ପ୍ରଭାବ ଆଉ ରହିବ ନାହିଁ । ବିଭିନ୍ନ ଆଶଙ୍କା ପ୍ରାଥମିକତା ଗୋଷ୍ଠୀରେ ଥିବା ଅନେକ ଲୋକ ଟିକା ନେବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ତେଣୁ ସାଧାରଣ ଲୋକଙ୍କ ମଧ୍ୟରେ ବି ଟିକା ନେଇ ସନ୍ଦେହ ଉପୁଜିବା ସ୍ବାଭାବିକ । ଟିକା ନେଇଥିବା ଆଶଙ୍କା ଓ ସନ୍ଦେହ ଦୂର ପାଇଁ ସରକାର ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା ଦରକାର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକେ ବି କୋଭିଡ ଟିକା ନେଇପାରିବେ ବୋଲି ସରକାର ଲୋକଙ୍କୁ ବୁଝାଇବା ଦରକାର । ଟିକା ନେବା ସାମାଜିକ କର୍ତ୍ତବ୍ୟ ବୋଲି ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି ।
ସୁସ୍ଥ ହୋଇସାରିଥିବା ଲୋକଙ୍କ ମଧ୍ୟରେ ପୁଣି ଥରେ କୋଭିଡ ଲକ୍ଷଣ ପ୍ରକାଶ ପାଉଥିବାର ମାମଲା ସାମନାକୁ ଆସିଛି । ଯେଉଁ ମାନଙ୍କର ଦୁର୍ବଳ ପ୍ରତିରୋଧକ ଶକ୍ତି ରହିଛି, ସେମାନେ ପୁଣି କୋଭିଡ ସଂକ୍ରମଣର ସାମନା କରୁଛନ୍ତି । ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମୋଲ୍କ୍ୟୁଲାର ବାୟୋଲୋଜି ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁସାରେ କୋଭିର ପୁନଃ ସଂକ୍ରମଣ ହେଉଥିବା କୁହାଯାଇଛି । ଏହି କାରଣରୁ ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ଓ ପର୍ତ୍ତୃଗାଲ ପୁଣି ଲକଡାଉନ ଜାରି କରିବାକୁ ବିଚାର କରୁଛନ୍ତି । ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ରୋଗର ତୀବ୍ରତା ବି ଉଦବେଗଜନକ । ମୁମ୍ବାଇ ଭଳି କିଛି ଜାଗାରେ ଲକଡାଉନ ଜାରି କରିବା ପାଇଁ ପ୍ରସ୍ତାବ ଆସିଛି ।