ଥିରୁଅନନ୍ତପୁରମ:ବନ୍ଧୁତ୍ବ ହେଉଛି ଏକ ନିଆରା ସମ୍ପର୍କ । ସବୁ ସମ୍ପର୍କଠାରୁ ଏହି ସମ୍ପର୍କ ନିତାନ୍ତ ଆବଶ୍ୟକ । ତେବେ ଏହି ସମ୍ପର୍କଟି କୌଣସି ଜାତି, ଧର୍ମ, ବର୍ଣ୍ଣ କିଛି ଦେଖିନଥାଏ । ଯେପରିକି ମନୁଷ୍ୟ କୁକୁର, ମଣିଷ ପକ୍ଷୀ ଏଭଳି ବିଭିନ୍ନ ପ୍ରକାର ପଶୁ ସହିତ ବନ୍ଧୁତ୍ବ ସ୍ଥାପନ କରି ଆସିଛି ମଣିଷ ଜାତି । କେହି କାହାରା ମୁହଁର ଭାଷା ବୁଝୁନଥିଲେ ମଧ୍ୟ ନିଜ ବନ୍ଧୁର ହୃଦୟର ଭାଷାକୁ ଖୁବ ଭଲ ଭାବେ ବୁଝିପାରିଥାନ୍ତି । ତେବେ ଆମେ ଏଠି ମଣିଷ ଓ ନେଉଳର ମଧୁର ସମ୍ପର୍କରେ କହୁଛୁ । ଏଭଳି ଏକ ନିଆରା ବନ୍ଧୁତ୍ବ କେରଳର କୋଝିକୋଡର ତମାରାସରୀ ସହରାଞ୍ଚଳରେ ଦେଖିବାକୁ ମିଳିଛି ।
ସାଧାରଣତଃ ନେଉଳ ଜାତି ମନୁଷ୍ୟଙ୍କ ଉପସ୍ଥିତିକୁ ପସନ୍ଦ କରିନଥାନ୍ତି । ମନୁଷ୍ୟଙ୍କଠାରୁ ସେମାନେ ଦୂରତା ବଜାୟ ରଖିଥାନ୍ତି । ହେଲେ ଏଠି ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ଗଫୋରଙ୍କ ପାଳିତ ନେଉଳ ତାଙ୍କୁ କ୍ଷଣେ ଛାଡିନଥାଏ । ଗଫୋରଙ୍କ ପରିବାରର ସେ ଏକ ଅଭିନ୍ନ ସଦସ୍ୟ ହୋଇସାରିଥିବା ବେଳେ ପଡୋଶୀ ପିଲାମାନଙ୍କ ସହିତ ଖେଳିଥାଏ ମଧ୍ୟ । ନେଉଳର ଦୁଇ ଭାଇ ଭଉଣୀ ମୃତ୍ୟୁପରେ ଗଫୋର୍ ଏହି ନେଉଳକୁ ପାଳି ଆସୁଛନ୍ତି । ଗଫୋର କହିଛନ୍ତି ଯେ ପ୍ରଥମେ ନେଉଳଟି ମଣିଷଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତୁତ ନଥିଲା । ପ୍ରାୟତଃ ମନୁଷ୍ୟର ଉପସ୍ଥିତିକୁ ଏକ ବିପଦ ବୋଲି ଭାବି ସେ ଭୟଭୀତ ହେଉଥିଲା ।