ଲକ୍ଷ୍ନୌ: ଯୁବତୀଙ୍କ ବିବାହ ରୋକିବା ପାଇଁ ଗ୍ରାମରେ ପୋଷ୍ଟର ମାରିଲା ଏକତରଫା ପ୍ରେମିକ । ପୋଷ୍ଟରରେ ନିଜକୁ ଯବତୀଙ୍କ ପ୍ରେମିକ ବୋଲି ଦର୍ଶାଇଛି ଅଭିଯୁକ୍ତ । ଏହା ସହ ପୋଷ୍ଟରରେ ଉଲ୍ଲେଖ କଲା ନିକଟରେ ବିବଦକୁ ଆସିଥିବା ପ୍ରଶାସନିକ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ଘଟଣା । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ହେଲେ ସମ୍ପୃକ୍ତ ଯୁବତୀ ଅଭିଯୁକ୍ତ ଯୁବକକୁ ପ୍ରେମୀ ବୋଲି ଖଣ୍ଡନ କରିବା ସହ ସେ ତାକୁ ଜାଣିନଥିବା କହିଛନ୍ତି । କେହି ଜଣେ ଯୁବକ ତାଙ୍କ ନିର୍ବନ୍ଧ ହେବା ପରଠାରୁ ତାଙ୍କ ବିବାହ ଭାଙ୍ଗିବା ପାଇଁ ବାରମ୍ବାର ଏସବୁ କରିବାରେ ଲାଗିଛି । ସେ ତାକୁ ଜାଣନ୍ତି ନାହିଁ ବୋଲି କହିବା ସହ ଯୁବତୀ ଏବେ ଥାନାରେ ଦ୍ବାରସ୍ଥ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛି ।
ଯୁବତୀଙ୍କ ମା’ ସ୍ଥାନୀୟ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ମେ’ ମାସରେ ତାଙ୍କର ଝିଅର ନିର୍ବନ୍ଧ ଶେଷ ହୋଇଥିଲା । ହେଲେ ଏହା ପରେ ତାଙ୍କର ହେବାକୁ ଥିବା ଜ୍ବାଇଁଙ୍କ ନିକଟକୁ ବାରମ୍ବାର ଅଜଣା ନମ୍ବରରୁ ଫୋନ କଲ ଯାଇଥିଲା । ତାଙ୍କ ଝିଅର ଚରିତ୍ର ସମ୍ପର୍କରେ ଆପତ୍ତିଜନକ କଥା କହି ବିବାହ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା । ପରେ ତାଙ୍କ ଭାବି ଜ୍ବାଇଁ ବିବାହ ଭାଙ୍ଗିବାକୁ କରିବାକୁ ରାଜି ନହେବା ପରେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କର ପ୍ରେମିକ ବୋଲି ବାରମ୍ବାର ଦାବି କରିଥିଲା । ଏବେ ବିବାହ ତାରିଖ ପାଖେଇ ଆସିବାରୁ ସେ ଗ୍ରାମରେ ଏପରି ଆପତ୍ତିଜନକ ପୋଷ୍ଟର ମଧ୍ୟ ଲଗାଇଛି । ପୋଷ୍ଟରରେ ସେ ଯୁବତୀଙ୍କ ନାମ ଉଲ୍ଲେଖ କରିବା ସହ ନିଜକୁ ତାଙ୍କର ପ୍ରେମିକ ବୋଲି ଦର୍ଶାଇଛି । ଏଥିରେ ଜ୍ୟୋତି ମୌର୍ଯ୍ୟ ଓ ଆଲୋକ ମୌର୍ଯ୍ୟଙ୍କ ଆଉ ଏକ କାହାଣୀ ବୋଲି ମଧ୍ୟ ଲେଖିଛି ଅଭିଯୁକ୍ତ ।
ଅନ୍ୟପଟେ ପୀଡିତାଜଣଙ୍କ ମଧ୍ୟ ନିଜ ପିୟୁସାଙ୍କ ବିରୋଧରେ ମଧ୍ୟ ବିବାହ ଭାଙ୍ଗିବାର ଅଭିଯୋଗ କରିଛନ୍ତି । ପୀଡିତାଙ୍କର ପିତାଙ୍କ ଦେହାନ୍ତ ହୋଇଯାଇଛି । ସେହି କାରଣରୁ ସେ ପିୟୁସିଙ୍କ ଘରେ ରହୁଥିଲେ । ହେଲେ ପିୟୁସିଙ୍କର ବ୍ୟବହାରରେ ଅତିଷ୍ଠ ହୋଇ ସେ ନିଜ ଘରକୁ ଫେରି ଆସିଥିଲେ । ଏବେ ତାଙ୍କ ବିବାହ ହେବାକୁ ଯାଉଥିବା ବେଳେ ପିୟୁସିଙ୍କ ପକ୍ଷରୁ ନାନା ବାଧା ସୃଷ୍ଟି କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ଫୋନ କଲ ଓ ପୋଷ୍ଟର ମରଯିବା ଘଟଣାରେ ମଧ୍ୟ ପୀଡିତାଙ୍କ ପିୟୁସିଙ୍କ ଭୂମିକା ସନ୍ଦେହ ଘେରରେ ରହିଛି ।