ଡେରାଡୁନ: ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ନୂଆକରି ଉଦଘାଟିତ ହୋଇଥିବା ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଗତ ଜାନୁଆରୀ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦେ ଭାରତକୁ ପଥର ମାଡ ହେବାର ଏହା ସପ୍ତମ ଘଟଣା । ଏନେଇ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ରେଳ ବିଭାଗ କହିଛି ଯେ, ବନ୍ଦେ ଭାରତ ଟ୍ରେନର ଇ-ଓ୍ବାନ କୋଚରେ ପଥର ମାଡ ହୋଇଛି । ଦିଲ୍ଲୀ ଡେରାଡୁନ ରୁଟରେ ଯାଉଥିବା ବେଳେ ମୁଜାଫରନଗର ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରୁ ପଥର ମାଡ କରିଛି । ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇ ନାହାନ୍ତି । ଅଭିଯୁକ୍ତକୁ ଧରିବାକୁ ଦିଲ୍ଲୀ ରେଳ ସୁରକ୍ଷା ବଳ ତଦନ୍ତ ଆରମ୍ଭ କରିଛି । ମେ 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ସବୁଜ ପତାକା ଦେଖାଇ ଉତ୍ତରାଖଣ୍ଡ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଏହାପରେ ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଏହି ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରବିବାର ଏହା ଦିଲ୍ଲୀରୁ ଡେରାଡୁନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ଏଥିରେ ଟ୍ରେନର କ୍ଷତି ହୋଇଛି ନା ନାହିଁ ସେନେଇ ସୂଚନା ମିଳିନାହିଁ ।