ପାଟନା:ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପରେ ଏବେ ବିହରରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ଘଟଣା ସାମ୍ନାକୁ ଆସିଛି । ଗତକାଲି (ଶୁକ୍ରବାର) ବିହାର ଡାଲକୋଲା-ଟେଲଟା ରେଳ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ପଥର ମାଡ଼ ହୋଇଛି । ଏନେଇ 22302 ଡାଉନ ବନ୍ଦେ ଭାରତ ଏକ୍ସପ୍ରେସର ଏସ୍କର୍ଟ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ।
କାଟିହାର ସର୍କଲର ଆରପିଏଫ ସୂଚନା ଅନୁଯାୟୀ, ବିହାର କଟିହାରର ବଳରାମପୁର ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ପଥର ଫିଙ୍ଗିବା କାରଣରୁ କୋଚ୍-Cର ଡାହାଣ ପାର୍ଶ୍ବ ଗ୍ଲାସ ଭାଙ୍ଗି ଯାଇଛି । ତେବେ ବନ୍ଦେ ଭାରତ ଉପରେ ଆକ୍ରମଣ ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ଟ୍ରେନରେ ପଥର ମାଡ଼ ହେବା ଘଟଣା ସାମ୍ନାକୁ ଆସିଛି । ନିକଟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥର ମାଡ଼ ହୋଇଥିଲା । ତେବେ ଉଦଘାଟନ ପୂର୍ବରୁ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା ।
ଟ୍ରେନର ଚଳାଚଳ ଆରମ୍ଭ ହେବା ପୂର୍ବରୁ ବିଶାଖାପାଟଣା ରେଳ ଷ୍ଟେସନରୁ ମାରିପାଲେମ ସ୍ଥିତ ବଗି ରକ୍ଷଣାବେକ୍ଷଣ କେନ୍ଦ୍ରକୁ ଯାଇଥିଲା । ତାହା ପୂର୍ବରୁ ପରୀକ୍ଷା ମୂଳକ ଭାବେ ଟ୍ରେନ ଚଳାଚଳ ସଫଳ ହୋଇଥିଲା । ପଥରମାଡ ଯୋଗୁଁ ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଥିଲା । ଘଟଣାକୁ ନେଇ ଆରପିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଗତ ବର୍ଷ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଥିଲେ । ସେବେଠାରୁ ବନ୍ଦେ ଭାରତ ଉପରେ ପଥର ଫିଙ୍ଗିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି ।
ଗତ ଜାନୁଆରୀ ୨ ତାରିଖରେ ହାଓ୍ବଡା ଠାରୁ ଜଲପାଇଗୁଡି ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ ହୋଇଥିଲା । ଫଳରେ ଟ୍ରେନର ଗ୍ଲାସ ପେନ ଭାଙ୍ଗି ଯାଇଥିଲା । ଏହାପରେ ଜାନୁଆରୀ ୩ ତାରିଖରେ ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ ହୋଇଥିଲା । ଏକ ବଗିର ଦୁଇଟି ଝରକା ଭାଙ୍ଗି ଯାଇଥିଲା । ସମାନ ଭାବେ ଗତ ୯ ତାରିଖରେ ନ୍ୟୁ ଜଲପାଇଗୁଡି ଷ୍ଟେସନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ ହୋଇଥିଲା । ଏଥିରେ ଟ୍ରେନର ଦୁଇଟି କୋଚର କାଚ ଭାଙ୍ଗିଯାଇଥିଲା ।