ଚଣ୍ଡିଗଡ:ପୁଣି ଅଶାନ୍ତ ହରିୟାଣାର ନୁହ ଜିଲ୍ଲା । କୁଆଁ ପୂଜା ପାଇଁ ଯାଉଥିବା ବେଳେ ମହିଳାମାନଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ଏଥିରେ କିଛି ମହିଳା ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଲା ସାମ୍ପ୍ରଦାୟିକ ହିଂସା । 2 ଗୋଷ୍ଠୀ ମୁହାଁମୁହିଁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି । ଏନେଇ ଥାନାରେ ଏତଲା ଦାୟର ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଶାନ୍ତି ବଜାୟ ରଖିବାକୁ ସାଧାରଣ ଜନତାଙ୍କୁ ଅପିଲ କରିଛି ପୋଲିସ ।
କିଛି ଦିନର ବିରତି ପରେ ପୁଣି ହରିୟାଣାର ନୁହ ଜିଲ୍ଲାରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ରାତିରେ ନୁହ ଅଞ୍ଚଳର କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିବା ବେଳେ ମାଦ୍ରାସାର କିଛି ପିଲା ସେମାନଙ୍କ ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ 2 ସମୁଦାୟର ଲୋକେ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ପଥରମାଡରେ କିଛି ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..Haryana violence: 2 ପୋଲିସ କର୍ମୀଙ୍କ ସମେତ 6 ମୃତ, ଗିରଫ ହେଲେଣି 116
ପୋଲିସ ସୂଚନା ଅନୁଯାୟୀ, "ହରିୟାଣାର ନୁହ ଜିଲ୍ଲାରେ ପୁଣି ହିଂସାକାଣ୍ଡ ଘଟିଛି । କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିବା ବେଳେ କିଛି ପିଲାମାନେ ତାଙ୍କ ଉପରକୁ ପଥରମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୁଣି ସାମ୍ପ୍ରଦାୟିକ ହିଂସା ମୁଣ୍ଡ ଟେକିଥିଲା । ଏହି ଘଟଣାକୁ ନେଇ 2 ଗୋଷ୍ଠୀର ଲୋକମାନେ ଏକାଠି ହୋଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏହି ପଥରମାଡରେ କିଛି ଗୁରୁତର ଆହତ ଭଳି ଖବର ସାମ୍ନାକୁ ଆସିନାହିଁ । ତେବେ ଘଟଣାର ତଦନ୍ତ କରିବା ସହ ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି ।"
ତେବେ ହରିୟାଣା ନୁହରେ ଚଳିତ ବର୍ଷ ଜୁଲାଇ 31 ତାରିଖରେ ବଡ଼ ଧରଣର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣା ଦେଖିବାକୁ ମିଳିଥିଲା । ଏକ ଧାର୍ମିକ ଶୋଭାଯାତ୍ରା ବେଳେ 2 ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ 6 ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ 2 ଜଣ ପୋଲିସ କର୍ମୀ ଓ ଅବଶିଷ୍ଟ 4 ଜଣ ସାଧାରଣ ନାଗରିକ ଥିଲେ ।
ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ଖେଳିଯାଇଥିଲା । ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟ ପୋଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ଘଟଣାରେ 115ରୁ ଉର୍ଦ୍ଧ୍ବ ଜଣଙ୍କୁ ଗିରଫ କରାଯାଇଥିଲା । ନୁହ, ଗୁରୁଗ୍ରାମ, ପାଲୱାଲ, ଫରିଦାବାଦ, ରେୱାରୀ ସହ ଅନ୍ୟ କିଛି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ