ସିଲଙ୍ଗ:ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ତୁରା ସ୍ଥିତ କାର୍ଯ୍ୟାଳୟ ଉପରକୁ ପଥରମାଡ ହୋଇଛି । ଗତକାଲି(ସୋମବାର) ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଏହି ଆକ୍ରମଣ କରିଛନ୍ତି । ଏଥିରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସାଙ୍ଗମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ସୂଚନା ରହିଛି । ପଥରମାଡ ସମୟରେ ମୁଖ୍ୟମନ୍ତ୍ରୀ ଅଫିସରେ ଥିଲେ । ସେ ଆନ୍ଦୋଳନକାରୀ ଗୋଷ୍ଠୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଥିବା ସମୟରେ ପଥରମାଡ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: Manipur Violence: ଜଳୁଛି ମଣିପୁର, 10 ପରିତ୍ୟକ୍ତ ଓ ସ୍କୁଲ ଘର ଜାଳି ଦେଲେ
ଗାରୋ ହିଲ୍ସର କିଛି ନାଗରିକ ଗୋଷ୍ଠୀ ତୁରାରେ ୱିଣ୍ଟର କ୍ୟାପିଟାଲ ପ୍ରତିଷ୍ଠା ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି । ଏହି ଦାବିରେ ସେ ଦୀର୍ଘ ୧୪ ଦିନ ହେଲା ଆମରଣ ଅନଶନ ଚଲାଇଛନ୍ତି । ସେଥିପାଇଁ ଆନ୍ଦୋଳନ କରୁଥିବା ଏଚିକ୍ କନସିଅସ ହୋଲିଷ୍ଟିକ ଇଣ୍ଟିଗ୍ରେଟେଡ କ୍ରିମା (ACHIK) ଓ ଗାରୋ ହିଲ୍ସ ଷ୍ଟେଟ୍ ମୁଭମେଣ୍ଟ କମିଟି (GHSMC) ଗୋଷ୍ଠୀ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସାଙ୍ଗମା ଗତକାଲି ସିଲଙ୍ଗରୁ ତୁରା ଆସିଥିଲେ । ତୁରାରେ ମୁଖ୍ୟମନ୍ତ୍ରୀ ଅଫିସରେ ଆନ୍ଦୋଳନକାରୀଙ୍କ ସହ ବୈଠକ କରୁଥିବା ବେଳେ ଏକ ଉଗ୍ର ଭିଡ଼ ଅଫିସ ଘେରାଉ କରି ପଥରମାଡ କରିଥିଲେ ।