ଲକ୍ଷ୍ନୌ:ମଥୁରାର କୃଷ୍ଣ ଜନ୍ମଭୂମି କମ୍ପଲେକ୍ସ ପଛପଟେ ଥିବା ରେଳବାଇ ଅଧିକୃତ ଜମିରେ ହୋଇଥିବା ଜବର ଦଖଲ ଓ ଅବୈଧ ନିର୍ମାଣ ବିରୋଧରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ମାମଲାଟି ସର୍ବୋଚ୍ଚ କୋର୍ଟରେ ପହଞ୍ଚି । ସର୍ବୋଚ୍ଚ କୋର୍ଟ 10 ଦିନ ପାଇଁ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଓ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚତମ ନ୍ୟାୟଳୟର ବିଚାରପତି ଅନିରୁଦ୍ଧ ବୋଷ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ ଏସ.ବି.ଏନ ଭଟ୍ଟି ଆଜି ଏହି ମାମଲାର ଶୁଣାଣି କରିଥିଲେ । 10 ଦିନ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ କୋର୍ଟ କହିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରେଳବାଇକୁ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁସାରେ, କୃଷ୍ଣ ଜନ୍ମଭୂମି କମ୍ପେଲେକ୍ସ ପଛପଟେ ରେଳବାଇ ଅଧିକୃତ ଜମି ରହିଥିଲା । ହେଲେ ଦୀର୍ଘ ବର୍ଷ ଧରି ଏଥିରେ ଜବରଦଖଲ କରାଯାଇ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ କୋଠା ନିର୍ମାଣ କରାଯାଇଥିଲା । ଏବେ ରେଳବାଇର ଟ୍ରାକ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଏହାକୁ ଉଚ୍ଛେଦ କରାଯିବା ଆରମ୍ଭ କରାଯାଇଛି । ଏହା ବିରୋଧରେ ଏକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ହେଲେ 14 ତାରିଖରେ ଏହି ମାମଲାରେ ତତ୍କାଳ ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହି ମାମଲାରେ ତଳକୋର୍ଟରେ ହାଜର ହେବା ପାଇଁ ଆବେଦନକାରୀଙ୍କୁ କହିଥିଲେ ସର୍ବୋଚ୍ଚ କୋର୍ଟ ।