ଡେରାଡୁନ:ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ କାହା ହାତକୁ ଯିବ ଦେବଭୂମି ଉତ୍ତରାଖଣ୍ଡ । କିଏ ପାହାଡି ରାଜ୍ୟରେ ଗଢିବ ସରକାର ? ରାଜ୍ୟବାସୀ ବାଛିବେ ନିଜ ନୂଆ ସରକାର । ରାଜ୍ୟରେ ଆଜି କାହା ମୁଣ୍ଡରେ ବିଜୟର ମୁକୁଟ ରହିବ ଓ କିଏ ନିରାଶ ହେବ ତାହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ । ରାଜ୍ୟର ମୋଟ ୭୦ଟି ବିଧାନସଭା ଆସନରେ ଭୋଟ ଗଣନା ଜାରି ରହିଛି । ମଇଦାନକୁ ଓହ୍ଲାଇଥିବା ୬୩୨ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ୭୦ ଜଣକ ଚମକପ୍ରଦ ବିଜୟ ହାସଲ କରିବାକୁ ଯାଉଛି ଏପରି ଅନେକ କଳ୍ପନା ଜଳ୍ପନାର ଅନ୍ତ ଅପରାହ୍ନରେ ଘଟିବାକୁ ଯାଉଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପିର ମଦନ କୌଶିକ ପଛରେ ରହିଥିବା ବେଳେ ଏବେ ଦୌଡ଼ରେ ଆଗରେ ରହିଛନ୍ତି । ସେପଟେ ବିଜେପିର ଅନ୍ୟ ପ୍ରାର୍ଥୀ ରାମଶରଣ ନୌଟିୟାଲ ଓ ଅନୁକୃତି ଗୋସାଇ ମଧ୍ୟ ପଛରେ ରହିଛନ୍ତି । ମଦନ କୌଶିକ ବିଜେପିର ରାଜ୍ୟ ସଭାପତି । ସେ ହରିଦ୍ବାର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବଲିଉଡ଼ କଣ୍ଠଶିଳ୍ପୀ ଯୁବିନ ନୌଟିଆଲଙ୍କ ପିତା ରାମଶରଣ ନୌଟିଆଲ ବିଜେପି ଟିକେଟରେ ଚକରାତା ଆସନରୁ ନିର୍ବାଚନ ଲଢୁଛନ୍ତି । ନୌଟିଆଲ ପଛରେ ରହିଛନ୍ତି ।
ହରକ ସିଂ ରାୱତଙ୍କ ବୋହୂ ଅନୁକୃତି ଗୋସାଇ ମଧ୍ୟ ପଛରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ରଣଜିତ ରାୱତ ମଧ୍ୟ ଆଲମୋଡ଼ା ଜିଲ୍ଲାର ସଲ୍ଟ ବିଧାନସଭା ଆସନରେ ପଛରେ ରହିଛନ୍ତି । ବିଜେପିର ମହେଶ ଜୀନାଙ୍କ ପ୍ରତିନ୍ଦ୍ବନ୍ଦୀ ରହିଛନ୍ତି ରଣଜିତ ରାୱତ। କଂଗ୍ରେସର ସଞ୍ଜୀବ ଆର୍ଯ୍ୟ ନୈନିତାଲ ଆସନରୁ ଆଗୁଆ ଅଛନ୍ତି । ସଞ୍ଜୀବ ବିଜେପିର ସରିତା ଆର୍ଯ୍ୟଙ୍କଠାରୁ ଆଗରେ ରହିଛନ୍ତି।