ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇଗଲାଣି । ଭାରତରେ ମଧ୍ୟ ଟୀକାକରଣ ଖୁବଶୀଘ୍ର ଆରମ୍ଭ ହେବ । ତେବେ କୋଭିଡ ଟୀକା ପ୍ରସ୍ତୁତି ପରେ ଟୀକାର ବ୍ୟବସ୍ଥିତ ବିତରଣ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କେନ୍ଦ୍ର ସରକାର ଦେଶରେ ଏକ କୋଟି ଡାକ୍ତର ଓ ଦୁଇ କୋଟି ଫ୍ରଣ୍ଟଲାଇନ କର୍ମଚାରୀଙ୍କଠାରୁ ଆରମ୍ଭ କରି 30 କୋଟି ବ୍ୟକ୍ତିବିଶେଷଙ୍କୁ ଟୀକାକରଣ କରିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ 6ଟି ଟୀକା କ୍ଲିନିକାଲ ମୂଲ୍ୟାଙ୍କନରେ ଥିବାବେଳେ ତିନୋଟି ନିର୍ମାତା ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରୀୟ ଡ୍ରଗ ଷ୍ଟ୍ରାଣ୍ଡାଡ ଓ ନିୟନ୍ତ୍ରଣ ସଙ୍ଗଠନକୁ ଅନୁମତି ମାଗିଛନ୍ତି ।
ମହାମାରୀ ସ୍ଥିତି ଓ ଟୀକା ଉପଲବ୍ଧତା ଆଧାରରେ ଟୀକାକରଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିବା 50 ବର୍ଷୀୟ ଗୋଷ୍ଠୀଙ୍କୁ 60 ବର୍ଷରୁ ଉର୍ଦ୍ଧ୍ବ ଏବଂ 50 ରୁ 60 ବୟସ୍କ ମଧ୍ୟରେ ବିଭକ୍ତ କରାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ଟୀକାକରଣ ସ୍ଥଳକୁ ଆସିବା ପୂର୍ବରୁ 12 ଟି ଫଟୋ ପରିଚୟ ସମେତ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ ଏବଂ ପେନସନ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ ବ୍ୟବହାର କରି CO-WIN ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ ।
ତେବେ ଟୀକାକରଣ ଲାଗି କେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ରାଜ୍ୟ ପାଇଁ କିଛି ନିର୍ଦ୍ଦେଶାନାମା ଜାରି ହୋଇଛି । ପ୍ରତିଦିନ ପ୍ରତ୍ୟେକ ପର୍ଯ୍ୟାୟରେ କେବଳ 100 ରୁ 200 ଲୋକଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା ରହିଛି । ଏହାସହ କୋରୋନା ଟୀକା ପାଇଁ ତାଲିକାଭୁକ୍ତ ସଠିକ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜିଏନ୍ସି ନେଟଓ୍ବାର୍କ ନାମକ ଏକ ଡିଜିଟାଲ ପ୍ଲାର୍ଟଫର୍ମର ବ୍ୟବହାର କରାଯିବ । ଯାହାଦ୍ବାରା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ ।
ରାଜ୍ୟଗୁଡିକ ପାଇଁ ଟୀକାକରଣର ଯୋଜନା ଓ କୌଶଳ:
କେରଳ:
କେରଳରେ ଭ୍ୟାକ୍ସିନ ମାଗାଣାରେ ଉପଲବ୍ଧ ହେବ । ଟୀକାକରଣ ପାଇଁ ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମ ପ୍ରାଧାନ୍ୟ ଦିଆଯିବ । ଟୀକା ବିତରଣ ଲାଗି କେରଳରେ ଏକ ବହୁସ୍ତରୀୟ କମିଟି ଗଠନ କରାଯାଇଛି । ରାଜ୍ୟ ଷ୍ଟିଅରିଂ କମିଟି, ରାଜ୍ୟ ଟାକ୍ସ ଫୋର୍ସ, ଜିଲ୍ଲା ଟାକ୍ସ ଫୋର୍ସ ଆଦି ଏହି କମିଟିରେ ଅନ୍ତର୍ଭୁକ୍ତ ଅଟନ୍ତି । ଟୀକା ସଂରକ୍ଷଣର ଦାୟିତ୍ବ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି । କେରଳରେ ଭ୍ୟାକ୍ସିନ ସଂରକ୍ଷଣ ପାଇଁ 1,251ଟି କୋଲ୍ଡ ଚେନ, 2,106 ଟି ଆଇଏଲଆର ଏବଂ ଡିପ ଫ୍ରିଜର କ୍ଷମତା ରହିଛି । ଏହାସହ ରାଜ୍ୟରେ ଟୀକାକରଣର ବୈଷୟିକ ଭାଗିଦାରୀ ଭାବେ ୟୁଏନଡିପିକୁ ଚୟନ କରାଯାଇଛି ।
ଦିଲ୍ଲୀ:
ଜାତୀୟ ରାଜଧାନୀ ଦିଲ୍ଲୀରେ ଟୀକାକରଣ ପାଇଁ ପଞ୍ଜିକରଣ କରିବାକୁ ଦିଲ୍ଲୀ ସ୍ବାସ୍ଥ୍ୟ ମିଶନର ଏକ ଓ୍ବେବସାଇଟ ରହିଛି, ଯେଉଁଥିରେ ହିତାଧିକାରୀ ନିଜର ସମସ୍ତ ବିବରଣୀ ପ୍ରଦାନ କରିବେ । ଦିଲ୍ଲୀରେ ଟୀକା ଡୋଜର ସଂରକ୍ଷଣ ନିମନ୍ତେ 609 ଟି କୋଲ୍ଡ ଚେନ ରହିଛି । ଗତ 14 ତାରିଖ ଦିନ ଅନେକ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏନେଇ ସେମାନଙ୍କୁ ଦିନିକିଆ ତାଲିମ ମଧ୍ୟ ଦିଆଯିବ । ରାଜଧାନୀର ବିଭିନ୍ନ ମୁଖ୍ୟ ହସ୍ପିଟାଲ ଯେପରିକି- ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରବା ହସ୍ପିଟାଲ, ବାବା ସାହେବ ଆମ୍ବେଦକର ହସ୍ପିଟାଲ, ଜିଟିବି ସହରାଞ୍ଚଳ ଜନ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମୋହୋଲା କ୍ଲିନିକ ପ୍ରମୁଖ ମେଡିକାଲରେ କୋଲ୍ଡ ଚେନଗୁଡିକ ସ୍ଥାନିତ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ ଟୀକାକରଣ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ 3,500 ସ୍ବାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରାଯାଇଛି । ଯାହା ମଧ୍ୟରୁ 600 ଜଣ ଘରୋଇ ମେଡିକାଲରେ କାର୍ଯ୍ୟରତ ଅଟନ୍ତି । ଆହୁରିମଧ୍ୟ ଜାତୀୟ ରାଜଧାନୀରେ କୋଲ୍ଡ ଚେନ ମନିଟର କରିବା ଲାଗି 600 ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ସହ ଟୀକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ।
ଉତ୍ତରାଖଣ୍ଡ:
ଉତ୍ତରାଖଣ୍ଡରେ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ଏକ ତ୍ରିସ୍ତରୀୟ ଟାକ୍ସ ଫୋର୍ସ ଗଠନ କରିଛନ୍ତି । ଏଠାରେ ଟୀକାକରଣ ପାଇଁ ସ୍ବତନ୍ତ୍ର ବୁଥ ସ୍ଥାପନ କରାଯିବ ଏବଂ ସେଠାରେ ଇଣ୍ଟରନେଟ, ପାନୀୟ ଜଳ ଓ ବିଦ୍ୟୁତ ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ବୁଥରେ ତିନୋଟି କୋଠରୀ ରହିବ ଯଥା- ପ୍ରଥମ କୋଠରୀ ଅପେକ୍ଷା ଘର, ଦ୍ବିତୀୟ କୋଠରୀ ଟୀକାକରଣ ପାଇଁ ଓ ତୃତୀୟ କୋଠରୀ ଅବଜରଭେସନ ପ୍ରକୋଷ୍ଠ ଭାବେ ବ୍ୟବହାର ହେବ । ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ଉତ୍ତରାଖଣ୍ଡରେ ଜନସଂଖ୍ୟାର 20 ପ୍ରତିଶତ ଅର୍ଥାତ 24 ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ପ୍ରଥମେ 94 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବ ଏବଂ ପରେ ଅନ୍ୟମାନଙ୍କୁ ସାମିଲ କରାଯିବ । ଏହିପରି 9 ଟି ପର୍ଯ୍ୟାୟରେ ଯେପରିକି- ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟକର୍ମୀ ଓ ଆଇସିଡିଏସ କର୍ମୀ, ନର୍ସ ଓ ସୁପରଭାଇଜର, ମେଡିକାଲ ଅଧିକାରୀ, ପାରାମେଡିକାଲ କର୍ମୀ, ସପୋର୍ଟ କର୍ମୀ, ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞନିକ, କିରାଣୀ ଓ ପ୍ରଶାସନିକ କର୍ମୀ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବ । ସେହିପରି ଟୀକାକୁ 2 ରୁ 8 ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ ରଖିବା ପାଇଁ ଉତ୍ତରାଖଣ୍ଡ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରେଫ୍ରିଜିରେଟର, ଫ୍ରିଜର, ପରିବହନ ବ୍ୟାଗ ଓ କୁଲର ଆଦି ଦାବି କରିଛନ୍ତି ।
ବିହାର:
ବିହାରରେ ମାଗଣାରେ ସର୍ବସାଧରଣଙ୍କୁ ଭ୍ୟାକ୍ସିନ ମିଳିବ । ରାଜ୍ୟର ଭ୍ୟାକ୍ସିନ ସଂରକ୍ଷଣ କ୍ଷମତା 1.37 କୋଟି ଅଟେ । ପ୍ରଥମ ପର୍ଯ୍ୟାୟରେ ଏଠାରେ 2.25 କୋଟି ଭ୍ୟାକ୍ସିନ ଡୋଜ ଗଚ୍ଛିତ ରଖାଯିବ । ସାଧାରଣ ଲୋକଙ୍କୁ ପୂର୍ବରୁ ସ୍ବାସ୍ଥ୍ୟକର୍ମୀ ଓ ଦ୍ବିତୀୟ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ । ଯାହା ପାଇଁ 6 ରୁ 7 ଲକ୍ଷ ଭ୍ୟାକ୍ସିନ ଡୋଜ ଆବଶ୍ୟକ ଅଟେ । ପ୍ରତ୍ୟେକ ବ୍ଲକ ସ୍ତରରେ ଭ୍ୟାକ୍ସିନ ବିତରଣ ପାଇଁ ବୁଥ ସ୍ଥାପନ କରାଯିବ । ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟୀକାକରଣ ପାଇଁ ଏକ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜିକରଣ କରିବାକୁ ହେବ । ଏହାବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବହୁସଂଖ୍ୟକ ଘରୋଇ ହସ୍ପିଟାଲକୁ ଟୀକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ ।
ଆସମ:
ଆସାମରେ ପ୍ରଥମ ପର୍ଯ୍ୟାୟରେ 86 ଲକ୍ଷ ଲୋକ କୋଭିଡ ଭ୍ୟାକ୍ସନ ପାଇପାରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରିବେ । 4 ଟି ପର୍ଯ୍ୟାୟରେ ଅର୍ଥାତ ସ୍ବାସ୍ଥ୍ୟକର୍ମୀ, ଘଟଣାସ୍ଥଳରେ କାର୍ଯ୍ୟରତ ସୁରକ୍ଷା କର୍ମୀ, 50 ବର୍ଷ ବୟସ୍କରୁ ଉର୍ଦ୍ଧ୍ବ ଜନସାଧାରଣ ଏବଂ ଅନ୍ୟାନ୍ୟ ଲୋକଙ୍କୁ ଟୀକାକରଣରେ ସାମିଲ କରାଯିବ ।
ହରିୟାଣା:
ସମାନ ଭାବେ ହରିୟାଣାରେ ମଧ୍ୟ ପ୍ରଥମେ ଆଗଧାଡିର 1.9 ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ ଦିଗରେ ପ୍ରଥମ ପ୍ରାଧାନ୍ୟତା ଦିଆଯିବ । ପରେ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମୀ ଏବଂ ଏହାପରେ 50 ବର୍ଷ ବୟସ୍କରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣରେ ସାମିଲ କରାଯିବ । ଜନ ପ୍ରତିନିଧିମାନେ, ଯେଉଁମାନେ ନିଜର ବିଭିନ୍ନ କାର୍ଯ୍ୟ ସମ୍ପାଦନ ସମୟରେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ଅନ୍ତର୍ଭୁକ୍ତ କରାଯିବ । ଏହାସହ ପ୍ରାଧାନ୍ୟଭିତ୍ତିକ ଗୋଷ୍ଠୀ, କୋଲ୍ଡ ଚେନ ଭିତ୍ତିଭୂମି, ଟୀକା ବିତରଣକାରୀଙ୍କ ଏକ ଡାଟା ବେସ ପ୍ରସ୍ତୁତ କରାଯିବ ।
ପଶ୍ଚିମବଙ୍ଗ:
ପଶ୍ଚମବଙ୍ଗରେ ଟୀକାର ବ୍ୟବସ୍ଥିତ ବିତରଣ ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରେନ-ଦି-ଟ୍ରେନର୍ସ ଅଭିଯାନ ଆରମ୍ଭ ହୋଇଛି । ଜଣେ ଟୀକାକରଣକାରୀ ଏବଂ ଚାରିଟି ଟୀକାକରଣ ଅଧିକାରୀ ଭିତ୍ତିରେ ଟୀକା ବିତରଣ ହେବ । ତେବେ ଭାରତରେ ସ୍ବଦେଶୀ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି ।
ତେଲେଙ୍ଗାନା:
ତେଲେଙ୍ଗାନ ରାଜ୍ୟ ସରକାର ବହୁତ କମ ଦିନ ମଧ୍ୟରେ ଦିନକୁ 10 ଲକ୍ଷ ଲୋକଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେଲେଙ୍ଗାନାରେ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଟୀକା ବିତରଣ କରାଯିବ । ରାଜ୍ୟରେ ବିଭିନ୍ନ କମ୍ପ୍ୟୁନିଟି ହଲ, ମୁନିସିପାଲିଟି କୋଠା ଓ ଗ୍ରାମ ପଞ୍ଚାୟତ ଓ ସ୍କୁଲଗୁଡିକୁ ଟୀକା ବିତରଣ ବୁଥ ଭାବେ ବ୍ୟବହାର କରାଯିବ । 100 ରୁ ଅଧିକ କର୍ମଚାରୀ ଏଠାରେ ନିୟୋଜିତ କରାଯିବା ସହ ଉଭୟ ସରକାରୀ ଓ ବେସରକାରୀ ସୁବିଧା ଯୋଗାଇ ଦିଆଯିବ । କୋଭିଡ ଯୋଦ୍ଧା, ଫ୍ରଣ୍ଟଲାଇନ କର୍ମୀ ଏବଂ 60ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ପ୍ରଥମ ପ୍ରାଥମିକତା ଦିଆଯିବ ଏବଂ ବୁଥକୁ ହିତାଧିକାରୀମାନେ ଆଧାର କାର୍ଡ ବ୍ୟତୀତ ନିଜ ପରିଚୟ ପ୍ରମାଣପତ୍ର ସହ ଆସିବା ବାଧ୍ୟତାମୂଳକ ଅଟେ ।
ଆନ୍ଧ୍ରପ୍ରଦେଶ:
ଆନ୍ଧ୍ରପ୍ରଦେଶରେ 1 କୋଟି ଲୋକ କୋରୋନା ଟୀକା ପାଇପାରିବେ । ଅନୁରୂପ ଭାବେ ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ଓ୍ବାର୍କର ଓ 50 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ପ୍ରଥମେ ଟୀକାକରଣରେ ସାମିଲ ହେବେ । ଆନ୍ଧ୍ରପ୍ରଦେଶର 1,650 କୋଲ୍ଡ ଚେନ ପଏଣ୍ଟ, 2,307 ଟି ଆଇଏଲଆର ଓ 2,109 ଟି ଡିପ ଫ୍ରିଜର କ୍ଷମତା ରହିଛି । ଏଠାରେ 4,762 ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ହେବ । ଟୀକାକରଣରେ ପ୍ରତି 5 ଜଣ ଟିମ ସଦସ୍ୟଙ୍କ ଉପସ୍ଥିତିରେ 100 ଜଣଙ୍କୁ ଟୀକା ଦିଆଯିବ ।
ମହାରାଷ୍ଟ୍ର:
ମହାରାଷ୍ଟ୍ରରେ 3 କୋଟି ଜନସାଧାଣଙ୍କୁ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯିବ । ତେବେ ଦେଶରେ ମାଗଣା ଟୀକା ବିତରଣ ପାଇଁ ମହାରାଷ୍ଟ୍ର ସରକାର ଅନୁରୋଧ କରିଛନ୍ତି । ଜାନୁୟାରୀ ମାସରୁ ଏଠାରେ ଟୀକାକରଣ ଆରମ୍ଭ ହେବ । ଏନେଇ ପ୍ରାୟ 18 ହଜାର କର୍ମୀ ତାଲିମ ନେଉଛନ୍ତି । ଟୀକାକରଣ ପାଇଁ ଚିହ୍ନଟ ହିତାଧିକାରୀଙ୍କ ମୋବାଇଲକୁ ପ୍ରଥମେ ଏକ ମେସେଜ ଯିବ । ଟୀକାକରଣର ସୂଚନା ପରିଚାଳନା ପାଇଁ ଷ୍ଟେଟ ଷ୍ଟିଅରିଂ କମିଟି ଗଠନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ପୃକ୍ତ ଅନ୍ୟାନ୍ୟ କର୍ମୀଙ୍କୁ ସାମିଲ କରାଯିବ ଓ ଦ୍ବିତୀୟ ପର୍ଯ୍ୟାୟରେ ଫ୍ରଣ୍ଟଲାଇନ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ସ୍ବେଚ୍ଛାସେବୀମାନେ ଟୀକା ପାଇବେ ।
ଜାମ୍ମୁ-କାଶ୍ମୀର:
ଟୀକା ବିତରଣ ପାଇଁ ଜାମ୍ମୁ-କାଶ୍ମୀରରେ ୟୁଟି ସ୍ତରୀୟ ଟାସ୍କ ଫୋର୍ସ ମୁତୟନ ହେବେ । ପ୍ରଥମେ ଓ ଦ୍ବିତୀୟ ପର୍ଯ୍ୟାୟରେ ଏକ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଏବଂ ତୃତୀୟ ପର୍ଯ୍ୟାୟରେ ସଂକ୍ରମଣର ଅଧିକ ଆଶଙ୍କା ଥିବା ପ୍ରାୟ 20 ଲକ୍ଷ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ଟୀକାକରଣ ପୂର୍ବରୁ କେନ୍ଦ୍ର ସରକାରଙ୍କ CO-WIN ଡାସବୋର୍ଡ ପ୍ଲାଟଫର୍ମରେ ଜନସାଧାରଣଙ୍କୁ ପଞ୍ଜିକରଣ କରିବାକୁ ହେବ । ଏହା ବାଧ୍ୟତାମୂଳକ ଅଟେ । ଯାହାଦ୍ବାରା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ ।
ଉତ୍ତରପ୍ରଦେଶ:
ଉତ୍ତରପ୍ରଦେଶରେ ଟୀକା ବିତରଣ ପାଇଁ 35 ହାଜର ଟୀକାକରଣ କେନ୍ଦ୍ର ସ୍ଥାପନ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ଦ୍ବିତୀୟ ପର୍ଯ୍ୟାୟରେ ଫ୍ରଣ୍ଟାଲାଇନ କର୍ମୀ ଓ ତୃତୀୟ ପର୍ଯ୍ୟାୟରେ 50 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରାଯିବ । ଟୀକାକରଣ କେନ୍ଦ୍ର, ଟୀକାକରଣକାରୀ ଓ ପ୍ରତି ଡୋଜର ସମସ୍ତ ବିବରଣୀ ଏକ ଅନଲାଇନ ପ୍ଲାଟଫର୍ମରେ ରେକର୍ଡ କରାଯିବ । ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ଏହି ପ୍ଲାଟଫର୍ମର ପରିଚାଳନା କରିବେ । ଏହାସହ ରାଜ୍ୟର 22 ଜିଲ୍ଲାରେ ଭ୍ୟାକ୍ସିନ ସଂରକ୍ଷଣ ପାଇଁ ସ୍ବତନ୍ତ୍ର କୋଠରୀ ପ୍ରତିଷ୍ଠା କରାଯିବ ।
ରାଜସ୍ଥାନ:
ରାଜସ୍ଥାନରେ 2,405 କୋଲ୍ଡ ଚେନ, 3,522 ଆଇଏଲଆର ଏବଂ 3,472ଟି ଡିପ ଫ୍ରିଜର ରହିଛି । ପୂର୍ବରୁ ରାଜ୍ୟରେ 130 ଜଣ ଲୋକ ସ୍ବଦେଶୀ ଟୀକା କୋଭିକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ଏହି ସ୍ବେଚ୍ଛାସେବୀମାନଙ୍କୁ ଟ୍ରାଏଲ ଭ୍ୟାକ୍ସନର ଦ୍ବିତୀୟ ଡୋଜ 28 ଦିନ ବ୍ୟବଧାନରେ ଦିଆଯିବ । ତେବେ 18 ରୁ 65 ବର୍ଷ ବୟସର ପ୍ରାୟ 1 ହଜାର ଲୋକ ଏହି ଟ୍ରାଏଲ ଭ୍ୟାକ୍ସିନ ଡୋଜ ନେବାକୁ ପଞ୍ଜିକରଣ କରିଛନ୍ତି ।
ଗୋଆ:
ଟାକା ବିତରଣ ପାଇଁ ଗୋଆରେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ସମେତ ସ୍ବାସ୍ଥ୍ୟ ବିଶେଷଜ୍ଞ, ସିଭିଲ ସୋସାଇଟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରାଯାଉଛି । ଏହାସହ ସମସ୍ତ ଘରୋଇ ଓ ସରକାରୀ ସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ବିବରଣୀ ସଂଗ୍ରହ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫ୍ରଣ୍ଟଲାଇନ କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ ।
ତାମିଲନାଡୁ: