ଚେନ୍ନାଇ:ତାମିଲନାଡୁ ଉପକୂଳରେ ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କୁ ଗିରଫ କରି ନେଇଯାଉଛି ଶ୍ରୀଲଙ୍କା ନୌସେନା । ଶତାଧିକ ତାମିଲ ମତ୍ସ୍ୟଜୀବୀ ଏବେ ଗିରଫ ହୋଇ ଶ୍ରୀଲଙ୍କା ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟକଳାପ ଜାରି ରଖିଛି । ତାମିଲନାଡୁ ମତ୍ସ୍ୟଜୀବୀମାନେ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି ।
ଏହା ଏକ ଦ୍ବିପାକ୍ଷିକ ମାମଲା ହୋଇଥିବା କାରଣରୁ ରାଜ୍ୟ ସରକାର ମଧ୍ୟ ଶ୍ରୀଲଙ୍କା ସହ ଯୋଗାଯୋଗ କରିପାରୁନାହାନ୍ତି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରର ସହଯୋଗ ଲୋଡି ବୈଦେଶିକ ମନ୍ତ୍ରାଣାଳୟକୁ ଅବଗତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଚିଠି ଲେଖି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାମିଲ ମସ୍ୟଜୀବୀଙ୍କୁ ମୁକ୍ତ କରି ସ୍ବଦେଶ ଫେରାଇବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।
ଚିଠିରେ ଷ୍ଟାଲିନ ଉଲ୍ଲେଖ କରିଛନ୍ତି, ତାମିଲନାଡୁରେ ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରି ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମାରେ ଶ୍ରୀଲଙ୍କା ନୌସେନାର ଦୌରାତ୍ମ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀଲଙ୍କା ନୌସେନା ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଗିରଫ କରି ନେଉଛି । ନିକଟରେ ଏପରି ଘଟଣା ବାରମ୍ବାର ଘଟିବାର ଉଦାହରଣ ମଧ୍ୟ ରହିଛି । ଯାହା ଫଳରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାର ପ୍ରଭାବିତ ହେଉଛନ୍ତି ।