କଲମ୍ବୋ:ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦା ରାଜପାକସେଙ୍କ ଅଡୁଆ ବଢିଛି । ବର୍ତ୍ତମାନ ସମୟରେ ସେ ଶ୍ରୀଲଙ୍କା ଛାଡି ବିଦେଶ ଯାଇପାରିବେ ନାହିଁ ବୋଲି ଶ୍ରୀଲଙ୍କାର ଏକ ସ୍ଥାନୀୟ କୋର୍ଟ ରାୟ ଶୁଣାଇଛନ୍ତି । ରାଜପାକସେଙ୍କ ଇସ୍ତଫା ପରେ ସରକାର ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡ ଫଳରେ ଦେଶରେ ଜରୁରୀ ସ୍ଥିତି ଲାଗି ରହିଛି । ରାଜପାକସେଙ୍କ ପରିବାର ମଧ୍ୟ ଆକ୍ରମଣ ଭୟରେ ବାସଭବନ ଛାଡି ଏକ ନୌସେନା ବେସରେ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ।
ଏହାରି ମଧ୍ୟରେ ରାଜପାକସେ ସପରିବାର ଶ୍ରୀଲଙ୍କା ଛାଡି ଅନ୍ୟଦେଶ ପଳାଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲାବେଳେ ତାଙ୍କ ବିଦେଶ ଗସ୍ତର ସ୍ବାଧୀନତାକୁ ସଙ୍କୁଚିତ କରିଛି ଶ୍ରୀଲଙ୍କାର ଏକ କୋର୍ଟ । କେବଳ ରାଜପାକସେ ନୁହନ୍ତି ତାଙ୍କ ପରିବାରର କେହି ଦେଶ ଛାଡିପାରିବେ ନାହିଁ ବୋଲି ଏକ ସ୍ଥାନୀୟ କୋର୍ଟ ତାଙ୍କ ରାୟରେ କହିଛନ୍ତି ।
ତେବେ କୋର୍ଟଙ୍କ ରାୟ ଆସିବା ପରେ ମହିନ୍ଦା ରାଜପାକସେଙ୍କ ପୁଅ ନମଲ ରାଜପାକସେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋମବାର ତାଙ୍କ ବାପାଙ୍କ ଇସ୍ତଫା ପରେ ଯେଉଁ ହିଂସାକାଣ୍ଡ ଘଟିଛି, ତାର ତଦନ୍ତ ହେଉ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଛନ୍ତି । ସେହିପରି ତାଙ୍କ ପରିବାର ଶ୍ରୀଲଙ୍କା ଛାଡି ପଳାୟନ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଲାଗିରହିଛି, ସେ ତାକୁ ଖଣ୍ଡନ କରିବା ସହ ସେ ଶ୍ରୀଲଙ୍କାରେ ହିଁ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।
ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ । ତେବେ ତାଙ୍କ ଇସ୍ତଫା ପରେ ସହି ଦିନ (ସୋମବାର) ସନ୍ଧ୍ୟାରୁ ସାରା ଦେଶରେ ସଂଘର୍ଷ ଓ ହିଂସା ଆରମ୍ଭ ହୋଇଥିଲା । ସରକାର ସପକ୍ଷବାଦୀ ଓ ବିରୋଧୀ ମୁହାଁମୁହିଁ ହେବା ଫଳରେ ଜଣେ ସାଂସଦଙ୍କ ସମେତ ମୋଟ 8 ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏପରିକି ମହିନ୍ଦା ରାଜପାକସେଙ୍କ ବାସଭବନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ଏବେ ରାଜପାକସେ ସପରିବାର ଏକ ନୌସେନା ବେସରେ କଡା ସୁରକ୍ଷା ମଧ୍ୟରେ ଆଶ୍ରୟ ନେଇଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିିଭି ଭାରତ