ପାଟନା:ଚର୍ଚ୍ଚାରୁ ବାଦ୍ ଛାଡୁନି ବିହାର ରାଜନୀତି । ବିଜେପିରୁ ହାତ ଛାଡି ମହାମେଣ୍ଟ ସମର୍ଥନରେ ପୁଣି କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିବା ବିଚକ୍ଷଣ ସମାଜବାଦୀ ନେତା ତଥା ସଂଯୁକ୍ତ ଜନତା ଦଳ ସୁପ୍ରିମୋ ନୀତିଶ କୁମାରଙ୍କ ସାମ୍ନାରେ ଏବେ ଦଳୀୟ ଅସନ୍ତୋଷର ଆହ୍ବାନ । ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଥିବା ବେଳେ ଏଥିରେ ସର୍ବାଧିକ ଆସନ ଆରଜେଡି ଖାତାକୁ ଯାଇଛି । ନୀତିଶଙ୍କ ଦଳ ଜେଡିୟୁର କିଛି ବିଧାୟକ ମନ୍ତ୍ରୀ ପଦ ନପାଇ ଅସନ୍ତୋଷ ଜାହିର କରିଥିବା ସୂଚନା ମିଳିଛି ।
ଇସ୍ତଫା ଦେବାର ପରଦିନ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ମହାମେଣ୍ଟର ସବୁଠୁ ବଡ ଦଳ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଶପଥ ଗ୍ରହଣ କରିଥିଲେ । ଆଜି କ୍ୟାବିନେଟ ସମ୍ପ୍ରସାରଣ ହେବା ପରେ ମୋଟ 31 ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫୁଗୁ ଚୌହାନ । ହେଲେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ନୀତିଶଙ୍କ ଦଳ JDUରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ବରିଷ୍ଠ ଜେଡିୟୁ ନେତା ସମ୍ପ୍ରସାରିତ କ୍ୟାବିନେଟରେ ସ୍ଥାନ ନପାଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ:- ବିହାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ ୩୦ ମନ୍ତ୍ରୀ
ଆଜି ଶପଥ ନେଇଥିବା 31 ମନ୍ତ୍ରୀଙ୍କ ମଧ୍ୟରେ, RJD ରୁ ସର୍ବାଧିକ 16, ନୀତିଶଙ୍କ ଦଳ JDU ରୁ 11, କଂଗ୍ରେସକୁ ମାତ୍ର 2 ଟି, ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚାରୁ ଜଣେ ଓ ଜଣେ ନିର୍ଦ୍ଦଳୀୟ ବିଧାୟକ ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି । ତେବେ ମନ୍ତ୍ରୀପଦର ଶପଥ ଗ୍ରହଣ ପରେ ବିଭାଗ ମଧ୍ୟ ବଣ୍ଟନ ହୋଇଛି । ଏହା ପରେ ଆରମ୍ଭ ହୋଇଛି ଦଳୀୟ କନ୍ଦଳ । ମନ୍ତ୍ରୀ ଆଶାୟୀ ତାଲିକାରେ ଥିବା ଏକାଧିକ ବରିଷ୍ଠ ବିଧାୟକ ମନ୍ତ୍ରୀ ପଦରୁ ବଞ୍ଚିତ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନେ ଦଳ ବିରୋଧରେ ନାରାବାଜୀ ମଧ୍ୟ କରିଥିଲେ ।