ହାଇଦ୍ରାବାଦ: ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିବାକୁ ଥିବା ସ୍ପାଇସଜେଟ ବିମାନରେ ଦୁଇ ଯାତ୍ରୀ ଓ ମହିଳା କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ଘଟଣା ସାମ୍ନାକୁ ଆସିଛି । ଏଥିରେ ଉତ୍ତେଜିତ ହୋଇ ଜଣେ ଯାତ୍ରୀ ବିମାନର ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏପରି ଘଟଣା ପରେ ସମ୍ପୃକ୍ତ ଦୁଇଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷାକର୍ମୀଙ୍କ ଜରିଆରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିବାକୁ ଥିବା ସ୍ପାଇସଜେଟ ବିମାନ SG-8133 ରେ ପ୍ରଥମେ ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ବିମାନ କ୍ରୁ ସଦସ୍ୟ ସେଥିରେ ହସ୍ତକ୍ଷେପ କରିଥିଲେ । ସେଥିମଧ୍ୟରୁ ଜଣେ ବୟସ୍କ ଯାତ୍ରୀ ଉତ୍ତେଜିତ ହୋଇ ବିମାନର ମହିଳା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ତାଙ୍କୁ ବୁଝାସୁଝା କରି ନିଜ ଆସନରେ ବସିବା ପାଇଁ ପ୍ରୟାସ କରାଯାଉଥିଲେ ସୁଦ୍ଧା ବେଶ କିଛି ସମୟ ଧରି ଯୁକ୍ତିତର୍କ ଲାଗି ରହିଥିଲା । ସେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।