ନୂଆଦିଲ୍ଲୀ:ମଝି ଆକାଶରେ ବିମାନର କକ୍ପିଟରେ ଗୁଜିଆ ଖାଇବା ପଡିଲା ମହଙ୍ଗା । ପାଇଲଟ୍ଙ୍କୁ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଲା ସ୍ପାଇସଜେଟ୍ । ଦିଲ୍ଲୀରୁ ଗୌହାଟୀ ଯାଉଥିବା ବିମାନର ଦୁଇ ପାଇଲଟ କକ୍ପିଟ୍ରେ କଫି ପିଇବା ଓ ଗୁଜିଆ ଖାଇବାକୁ ନେଇ ସ୍ପାଇସଜେଟ ସେମାନଙ୍କୁ ଓହ୍ଲାଇ ଦେଇଛି । ଏହାସହିତ ଦୁହିଁଙ୍କ ଉଡାଣ ଉପରେ ରୋକ ଲଗାଇଛି କମ୍ପାନୀ ।ଗୁଜିଆ ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ DGCA ଦୁଇ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛି । ତେବେ ଏହି ଘଟଣାଟି ହୋଲି ଦିନ ଅର୍ଥାତ୍ ଗତ ୮ ତାରିଖର ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ହୋଲି ଦିନ ଦିଲ୍ଲୀରୁ ଗୌହାଟୀ ଅଭିମୁଖେ ସ୍ପାଇସଜେଟର ଏକ ବିମାନ ଉଡାଣ ଭରିଥିଲା । ବିମାନ ଉଡାଣ ସମୟରେ ମଝି ଆକାଶରେ ଦୁଇ ଜଣ ପାଇଲଟ କକପିଟ୍ରେ ପାର୍ଟି କରିଥିଲେ । ସେମାନେ ଗୁଜିଆ ଖାଇବା ସହ କଫି ପିଇଥିଲେ । ଏହି ସେଲିବ୍ରେସନର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ୟୁଜର୍ସମାନେ କଡା ସମାଲୋଚନା କରିଥିଲେ । କକପିଟ୍ରେ ଖାଦ୍ୟ ଖାଇବା କମ୍ପାନୀ ସମ୍ପୂର୍ଣ୍ଣ ବାରଣ କରିଥିବା ବେଳେ ଦୁହେଁ ଗୁଜିଆ ଖାଉଥିବାର ଦେଖିବାକୁ ମିଳିଥିଲା । ଏପରି କାର୍ଯ୍ୟ ଦ୍ବାରା ସେମାନେ ଯାତ୍ରୀଙ୍କ ଜୀବନ ବିପଦରେ ପକାଇ ଥିବାରୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଦୁଇ ପାଇଲଟକୁ ଓହ୍ଲାଇ ଦେଇଥିଲେ ଏବଂ ତାଙ୍କର ଉଡାଣ ଉପରେ ରୋକ ଲଗାଇଥିଲେ । ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଦୁହିଁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।