ଓଡିଶା

odisha

ETV Bharat / bharat

'President of Bharat': ଇତିହାସ ହେବ 'ଇଣ୍ଡିଆ' ନାଁ ! ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରୁ ବଡ ସଙ୍କେତ - ବିଶ୍ବନେତାଙ୍କୁ ଭାରତୀୟ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର

ବଦଳିବ କି ଦେଶର ନାଁ ? ଭାରତର ଇଂରାଜୀ ନାମ 'ଇଣ୍ଡିଆ'କୁ ଦିଆଯିବ କି ବାଦ୍‌ ? କାହିଁକି ଆରମ୍ଭ ହେଲା ଏପରି ଚର୍ଚ୍ଚା ? ଅଧିକ ପଢନ୍ତୁ

President of Bharat
President of Bharat

By ETV Bharat Odisha Team

Published : Sep 5, 2023, 3:38 PM IST

Updated : Sep 5, 2023, 6:23 PM IST

ନୂଆଦିଲ୍ଲୀ:ଇଂରାଜୀ ନାମ 'ଇଣ୍ଡିଆ' ନୁହେଁ କେବଳ 'ଭାରତ' ନାମରେ ଜଣାଯିବ କି ଦେଶ ? ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ଲାଗି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସିଡେଣ୍ଟ ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ଏଥିରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ ପ୍ରଥମ ଥର ଲାଗି ଲେଖାଯାଇଛି 'ପ୍ରେସିଡେଣ୍ଟ ଅଫ ଭାରତ' । ଅର୍ଥାତ ଦେଶର ଇଂରାଜୀ ନାମକୁ ଲେଖାଯାଇନାହିଁ । ତେବେ ଆଗାମୀ ଦିନରେ ଦେଶ କେବଳ 'ଭାରତ' ନାମରେ ଜଣାଯିବ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା ।

ଆସନ୍ତା ୯ ଓ ୧୦ ତାରିଖ ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଯେଉଁଥିରେ ଯୋଗ ଦେବାକୁ ଯାଉଛନ୍ତି ଅନେକ ବିଶ୍ବ ନେତା । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ସାମିଲ ଅଛନ୍ତି । ତେବେ ସେପ୍ଟେମ୍ବର ୯ ତାରିଖରେ ରାତ୍ରି ଭୋଜନ ଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି-୨୦ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମରେ ପ୍ରଥମ ଥର ଲାଗି 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାଯାଇଛି ।

ଏହା ବି ପଢନ୍ତୁ- G-20 Summit: ଦିଲ୍ଲୀକୁ ଆସିବେ ଅନ୍ତର୍ଜାତୀୟ ଅତିଥି ଓ ପ୍ରତିନିଧି, ସହାୟତା ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ୱାର୍କଫୋର୍ସ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତର ସମ୍ବିଧାନରେ ମଧ୍ୟ ଦେଶର ନାମ 'ଭାରତ' ରହିଛି । ସମ୍ବିଧାନର ଧାରା ୧ରେ 'ଇଣ୍ଡିଆ' ଶବ୍ଦର ଅର୍ଥ ରାଜ୍ୟମାନଙ୍କର ସମୂହ ବୋଲି ରହିଛି । ଜି-୨୦ ବିଦେଶୀ ଅତିଥି ଓ ପ୍ରତିନିଧିମାନଙ୍କୁ ଦେଶ ପକ୍ଷରୁ ଦିଆଯାଇଥିବା ବୁକଲେଟ୍‌ ବା ପୁସ୍ତିକାରେ ଦେଶର ନାମ 'ଗଣତନ୍ତ୍ରର ମାତା' ଭାରତ ରହିଛି । ଯାହାକି ବର୍ଷ ବର୍ଷ ଧରି ଗଣତାନ୍ତ୍ରିକ ବିଚାରଧାରା ଉପରେ ପର୍ଯ୍ୟବେଷ୍ଟିତ । ଏହି ପୁସ୍ତିକାରେ ଆହୁରି ଲେଖାଯାଇଛି ଯେ ଭାରତ ଦେଶର ସରକାରୀ ନାମ । ୧୯୪୬-୪୮ ମସିହା ସମୟରେ ହୋଇଥିବା ନିଷ୍ପତ୍ତି ସହିତ ଦେଶର ସମ୍ବିଧାନରେ ମଧ୍ୟ ଏହା ଉଲ୍ଲେଖ ରହିଛି ।

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପକ୍ଷରୁ ଜି-୨୦ ବିଦେଶୀ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ଅନେକ ରାଜନେତା ଏହାକୁ ସ୍ବାଗତ କରିଥିବା ବେଳେ ବିରୋଧୀମାନେ ଏହାର ଘୋର ବିରୋଧ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହାକୁ ସ୍ବାଗତ କରି କହିଛନ୍ତି, " ଅମୃତ କାଳ ମଧ୍ୟରେ ଆମ ନାଗରିକମାନେ ଜାଗ୍ରତ ହୋଇଛନ୍ତି । ଏହା ମୋତେ ବେଶ ଆନନ୍ଦ ଦେଇଛି ।" ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, " ଏହା ପୂର୍ବରୁ ହେବାର ଆବଶ୍ୟକତା ରହିଥିଲା । ଏହି ନିଷ୍ପତ୍ତି ମାନସିକ ଶାନ୍ତି ଆଣିଦେଇଛି । 'ଭାରତ' ହେଉଛି ଆମର ପରିଚୟ । ଏଥିଲାଗି ଆମକୁ ଗର୍ବ କରିବା ଆବଶ୍ୟକ । ଦେଶର ରାଷ୍ଟ୍ରପତି 'ଭାରତ'କୁ ପ୍ରାଧାନ୍ୟ ଦେଇଛନ୍ତି ।"

ବିରୋଧୀଙ୍କ ବିରୋଧାଭାଷ:-ବିଜେପି ନେତାମାନେ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିବା ବେଳେ ବିରୋଧୀ ମେଣ୍ଟ ଇ-ଣ୍ଡି-ଆ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଛି । RJD ନେତା ମନୋଜ ଝା କହିଛନ୍ତି, " ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯିବାର କିଛି ସପ୍ତାହ ପରେ କେନ୍ଦ୍ର 'ରିପବ୍ଲିକ ଅଫ ଭାରତ' ନାମରେ ନିମନ୍ତ୍ରଣ ପତ୍ର ପଠାଇଛି । ଦେଶର ସମ୍ବିଧାନ ଧାରା ୧ରେ ଦେଶର ନାମ ଇଣ୍ଡିଆ ରହିଛି । ଯାହାକି ଭାରତ । ଆମେ ଏହି ନାମକୁ ନେଇଯାଉନାହୁଁ । " ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ କହିଛନ୍ତି, "ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ ପରିବର୍ତ୍ତେ ଭାରତ ନାମ ରଖନ୍ତି, ତେବେ କଣ ବିଜେପି ଭାରତ ନାମକୁ ଅନ୍ୟ କୌଣସି ନାମରେ ପରିବର୍ତ୍ତନ କରିବ ?"

ଜେପି ନଡ୍ଡାଙ୍କ କଡ଼ା ଜବାବ:-ବିରୋଧୀମାନେ ଏହି ନିଷ୍ପତ୍ତିକୁ ବିରୋଧ କରିବା ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କଂଗ୍ରେସକୁ ଦେଶଦ୍ରୋହୀ ବୋଲି କହିଛନ୍ତି । ସେ ଟ୍ବିଟ କରି କହିଛନ୍ତି, "କଂଗ୍ରେସକୁ ଦେଶର ସମ୍ମାନ ଓ ଗୌରବ ସହିତ ଜଡ଼ିତ ସବୁ ଜିନିଷରେ କଣ ହେଉଛି ସମସ୍ୟା ? ଭାରତ ନାମକୁ ଯୋଡ଼ି ରାଜନୀତି କରୁଥିବା ଲୋକଙ୍କୁ 'ଭାରତ ମାତା କି ଜୟ' ନାରା ଦେବାରେ କଣ ଅସୁବିଧା ହେଉଛି । ଏଥିରୁ ସ୍ପଷ୍ଟ ଯେ କଂଗ୍ରେସ ମନରେ ଦେଶ, ଦେଶର ସମ୍ବିଧାନ ଓ ଦେଶ ପ୍ରତି କୌଣସି ସମ୍ମାନ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2023, 6:23 PM IST

ABOUT THE AUTHOR

...view details