ନୂଆଦିଲ୍ଲୀ:ଆଜି ସଂସଦ ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ନେଇ ବତର୍କ ହୋଇଛି । ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଛନ୍ତି ସୋନିଆ ଗାନ୍ଧୀ । ଲୋକସଭାରେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ବତର୍କକୁ ସମ୍ବୋଧନ କରିଛନ୍ତି । ଏହି ବିଲକୁ ପୂର୍ବରୁ ରାଜୀବ ଗାନ୍ଧୀ ଆଣିଥିଲେ । ବିଲରେ ଓବିସି, ଏସଏସଟିଙ୍କୁ ବି ସାମିଲ କରାଯାଉ । ଆଉ ବିଳମ୍ବ ନକରାଯାଇ ବିଲକୁ ତୁରନ୍ତ ପାସ୍ କରାଯାଉ । ଏହି ଦ୍ବାରା ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭା ଅନୁଷ୍ଠିତ ବିତର୍କରେ ସୋନିଆ ଗାନ୍ଧୀ କହିଛନ୍ତି, ଏହା ମୋ ଜୀବନ ପାଇଁ ଏକ ଭାବବିହ୍ବଳ ମୂହୁର୍ତ୍ତ । ପ୍ରଥମ ଥର ପାଇଁ ମହିଳାଙ୍କ ଭାଗିଦାରୀ ସ୍ଥିର କରିବା ପାଇଁ ସଂଶୋଧନ ମୋ ଜୀବନସାଥୀ ରାଜୀବ ଗାନ୍ଧୀ ଆଣିଥିଲେ । ରାଜ୍ୟସଭାରେ 7 ଭୋଟରେ ପାରିତ ହୋଇ ପାରନଥିଲା । ପରେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ନରସିମ୍ହା ରାଓଙ୍କ ନେତୃତ୍ବରେ ଏହାକୁ ରାଜ୍ୟସଭାରେ ପାସ୍ କରାଯାଇଥିଲା । ପରିଣାମ ସ୍ୱରୁପ 15 ଲକ୍ଷ ମହିଳା ନେତ୍ରୀ ନିର୍ବାଚିତ ହୋଇଥିଲେ । ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଅଧା ବାକି ରହିଛି । ଏହି ବିଲ୍ ପାସ ହେଲେ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ । ବିଲକୁ କଂଗ୍ରେସ ସମର୍ଥନ କରୁଛି ।''
ଏହା ବି ପଢନ୍ତୁ...Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍
ବିଲକୁ ନେଇ ଆହୁରି କହିଛନ୍ତି, ''ଧୂଆଁରେ ଭର୍ତ୍ତି ହୋଇଥିବା ରୋଷେଇ ଘରଠୁ ନେଇ ଚିକମିକ ଆଲୋକରେ ଝଟକୁଥିବା ଷ୍ଟାଡିୟମ ଯାଏଁ ଭାରତୀୟ ମହିଳାଙ୍କର ଯାତ୍ର ବହୁତ ଲମ୍ବା । ସେମାନେ ତାଙ୍କ ଲକ୍ଷ୍ୟ ହାସଲ କରିଛନ୍ତି । ସେ ପରିବାର ଚଳାନ୍ତି, ପୁରୁଷଙ୍କ ମଧ୍ୟରେ ଦ୍ରୁତ ଦୌଡ଼ ଲଗାଇଛନ୍ତି ଧୈର୍ଯ୍ୟ ରଖି ବିଜୟ ହାସଲ କରିଛନ୍ତି । ଭାରତୀୟ ମହିଳାଙ୍କ ହୃଦୟରେ ମହାସାଗର ଭଳି ଧୈର୍ଯ୍ୟ ରହିଛି । ସେମାନେ କଠିନରୁ କଠିନ କାମକୁ କରି ଦେଖାଇଛନ୍ତି । ମହିଳା କେବେ ଆରାମ କରନ୍ତି ନାହିଁ । ସରୋଜିନୀ ନାଇଡ଼ୁ, ଅରୁଣା ଅସଫଅଲ୍ଲୀ, ସୁଚିତା କ୍ରିପଲାନି, ବିଜୟ ଲକ୍ଷ୍ମୀ ପଣ୍ଡିତ ଲକ୍ଷ ଲକ୍ଷ ମହିଳା କଠିନ ସମୟରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଏକ ମିଶାଲ । ଏହି ବିଲକୁ ପାସ କରିବାର ସ୍ବପ୍ନ ସାକାର କରିବାକୁ ସରକାରଙ୍କୁ ଯେଉଁ ପଦକ୍ଷେପ ନେବା ଦରକାର ତାହା କରିବା ଆବଶ୍ୟକ । ଏହି ବିଲ୍କୁ ପାସ୍ କରିବାରେ ବିଳମ୍ବ ହେଲେ ତାହା ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ ହେବ ।''
ଏହା ବି ପଢନ୍ତୁ...Women's Reservation Bill: କଂଗ୍ରେସର ସମର୍ଥନ ପ୍ରଶ୍ନରେ ପ୍ରତିକ୍ରିୟା ରଖିବାକୁ ମନାକଲେ ରାହୁଲ
ପ୍ରକାଶ ଥାଉ କି, ଗତକାଲି ସଂସଦ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ନୂଆ ସଂସଦ ଭବନ ଲୋକସଭାରେ ଆଗତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଏହି ବିଲର ନାମ ରଖାଯାଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । 128ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ଆଗତ ହୋଇଥିବା ଏହି ସଂରକ୍ଷଣ ବିଲ ଅନୁସାରେ ସଂସଦର ନିର୍ବାଚିତ ସଦନ (ଲୋକସଭା) ଓ ରାଜ୍ୟ ବିଧାନସଭାରେେ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ବିଲ ପାସ୍ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା 181 ହେବ ।