କୋଲକାତା: ଭାରତର ଆଇକନିକ ହାୱଡା ବ୍ରିଜ, ଯାହାକୁ ରବିନ୍ଦ୍ର ସେତୁ ମଧ୍ୟ କୁହାଯାଏ । ଅଦ୍ଭୁତ ଗଠନଶୈଳୀ ପାଇଁ ଜଣାଯାଉଥିବା ହାୱଡା ବ୍ରିଜର ଗାରିମା ଏବେ ନଷ୍ଟ ହେବାରେ ଲାଗିଛି । ପ୍ରତିଦିନ ପାନ ଓ ଗୁଟକା ଛେପରେ ରଙ୍ଗୀନ ହେଉଛି ବ୍ରିଜର ପିଲାର । ପିଲାର ସୁରକ୍ଷା ପାଇଁ କୋଲକାତା ପୋର୍ଟ ଟ୍ରଷ୍ଟ(Kolkata Port Trust) ସ୍ବତନ୍ତ୍ର କୋଟିଂ ବା ଲେପ ଦେଇଥିଲା । ଯେପରି ପାନ ଗୁଟକା ଛେପ ଦ୍ବାରା ପିଲାର ଗୁଡିକ ସିଧାସଳଖ ପ୍ରଭାବିତ ନ ହୁଏ, ସେଥିପାଇଁ ଏହାର ମୂଳରୁ ୬ ଫୁଟ ଯାଏଁ କୋଟିଂ କରାଯାଇଥିଲା ।
କେବଳ ଏତିକି ନୁହେଁ, ଲୋକଙ୍କୁ ସଚେତନ କରିବାକୁ କାନ୍ଥରେ 'ଏଠାରେ ଛେପ ପକାନ୍ତୁ ନାହିଁ ' ମଧ୍ୟ ଲେଖା ଯାଇଥିଲା । ହେଲେ ଏହି ଅନନ୍ୟ ସଂରଚନାକୁ ରକ୍ଷା କରିବାକୁ କରାଯାଇଥିବା ତମାମ୍ ପ୍ରଚେଷ୍ଟା ଏବଂ ଚେତାବନୀ ପ୍ରତି ଲୋକେ ଯେପରି କର୍ଣ୍ଣପାତ କରୁନାହନ୍ତି । ବ୍ରିଜର ଉଭୟ ପାର୍ଶ୍ବରେ ଯାତାୟତ କଲେ, ଆଜିର ସଭ୍ୟ ସମାଜର ଲୋକେ ଯେ ଐତିହ୍ୟର ସୁରକ୍ଷା ଦିଗରେ ଏ ଯାଏଁ ମଧ୍ୟ ସଚେତନ ନାହାନ୍ତି ତାହା ଜଳ ଜଳ ଦିଶୁଛି । ସେହିପରି ବ୍ରିଜର ସୁରକ୍ଷା ପାଇଁ ନାନା ବ୍ୟବସ୍ଥା କରାଯାଇଛି । ଦୁଇ ପାର୍ଶ୍ବରେ ସିସିଟିଭି ଲାଗିଛି ଏବଂ ପୋଲିସ ଜଗିଛନ୍ତି । ହେଲେ ଏସବୁ ତଦାରଖ କରିବା ଦିଗରେ ପୋଲିସ ଦୃଷ୍ଟି ଦେଉନି । ଫଳସୂରୁପ ଲୋକମାନେ ଯିବାଆସିବା କରୁଥିବା ବ୍ରିଜର ଦୁଇଟି ଯାକ ପାର୍ଶ୍ବ ବର୍ତ୍ତମାନ ଗୁଟଖା ଏବଂ ପାନ ଛେପରେ ରଙ୍ଗୀନ ଦିଶୁଛି । ଛେପ ଯୋଗୁଁ ପିଲରରେ ଲାଗିଥିବା ଲୌହ କୋଟିଂ ମଧ୍ୟ ନଷ୍ଟ ହୋଇଯାଇଛି ।