ଲକ୍ଷ୍ନୌ:ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉତ୍ତରପ୍ରଦେଶ ହରଦୋଇରେ ଘଟିଛି ଏହି ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ଏସକର୍ଟର ଅନ୍ୟ ଗାଡ଼ିକୁ ଧକ୍କା ଦେବା ପରେ ପ୍ରାୟ ୭ଟି ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ଜଣ ଆହତ ହୋଇଛନ୍ତି । ସୂତ୍ର ଅନୁସାରେ ଅଖିଳେଶ ହରପାଲପୁରର ବୈଠାପୁରରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଯାଉଥିଲେ । ଏହି ସମୟରେ ମଲାୱା ରୋଡ ଖେମିପୁର ଗଁ ନିକଟରେ ଘଟିଛି ଦୁର୍ଘଟଣା ।
ଏହି ଦୁର୍ଘଟଣା ପରେ କିଛି ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ପ୍ରାୟ ୭ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଗାଡ଼ି ନିକଟରେ ଅନେକ ଲୋକଙ୍କ ଭିଡ଼ ଜମିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ରହିଛି । ହେଲେ ଦୁର୍ଘଟଣାରେ ଅଖିଳେଶ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏସକର୍ଡ ଗାଡ଼ି ଯାଉଥିବା ସମୟରେ ରାସ୍ତା ଉପରେ କିଛି ଆସିଯାଇଥିଲା । ଏକ କାର ବ୍ରେକ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଅଖିଳେଶଙ୍କ ଗାଡ଼ିର କୌଣସି କ୍ଷତି ଘଟିନାହିଁ । ତାଙ୍କ ପଛରେ ରହିଥିବା କିଛି ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ।
ଏହା ବି ପଢନ୍ତୁ- ଯୋଶୀମଠ ପରେ ଜମ୍ମୁ କାଶ୍ମୀରରେ ଦବିଲା ମାଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ଅଖିଳେଶ ଏକ ଦିବସୀୟ ହରଦୋଇ ଯାତ୍ରାରେ ରହିଛନ୍ତି । ସେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଲକ୍ଷ୍ନୌରୁ ହରଦୋଇକୁ ଯାତ୍ରା କରୁଥିଲେ । ସନ୍ଧ୍ୟା ୪.୩୦ ପର୍ଯ୍ୟନ୍ତ ସେ ଲକ୍ଷ୍ନୌକୁ ଫେରିବାର ଯୋଜନା ରହିଥିଲା । ଯିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଏଥିରେ ୩ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ୩ଜଣ ଆହତଙ୍କ ମଧ୍ୟରୁ ଜଣେ ଆହତ ନସୀମ କହିଥିଲେ, "ଏହା ହଠାତ୍ ଘଟିଥିଲା । ଆମେ ଜାଣିପାରିନଥିଲୁ ଯେ କିପରି ଦୁର୍ଘଟଣା ଘଟିଲା । ଏଥିରେ ପ୍ରାୟ ୭-୮ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । "
ରାଜ୍ୟ ରାଜଧାନୀ ଲକ୍ଷ୍ନୌରୁ ପ୍ରାୟ ୧୦୦କିମି ଦୂରରେ ଘଟିଛି ଏହି ଦୁର୍ଘଟଣା । ଏନେଇ ହରଦୋଇ ପୋଲିସ ଅଫିସର ଅନିଲ କୁମାର ଯାଦବ କହିଛନ୍ତି, "ଅଖିଳେଶ ଯାଦବଙ୍କ ଏସକର୍ଟ ପଛରେ ଏହି ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ରହିଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଭାରସାମ୍ୟ ହରାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ କାର ପରସ୍ପରକୁ ଧକ୍କା ଦେଇଥିଲେ । ମାତ୍ର ଦୁର୍ଘଟଣାରେ ଅଖିଳେଶଙ୍କ କୌଣସି କ୍ଷତି ଘଟିନାହିଁ । ସେ ସୁରକ୍ଷିତ ଭାବରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।"