ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପପୁର ଆସନରୁ ସମାଜବାଦୀ ପାର୍ଟି ବିଧାୟିକା ଥିବା ବିଜମା ଯାଦବ ୨୨ ବର୍ଷ ପୁରୁଣା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ସପା ବିଧାୟିକାଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ କୋର୍ଟ ବିଜମାଙ୍କୁ ୨୦ ହଜାର ଟଙ୍କାର ମୁଚଲିକାରେ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ୧୪ ଜଣଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଛି ।
ବିଜମା ଯାଦବଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୪୭, ୩୪୧,୫୦୪, ୩୫୩, ୩୩୨ ଓ ୭ CLA ଆକ୍ଟରେ ରୁଜୁ ୨୨ ବର୍ଷ ତଳର ମାମଲାର ଶୁଣାଣି ହୋଇଛି । ବିଚାରପତି ଦିନେଶ ଚନ୍ଦ୍ର ଶୁକ୍ଲା ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢ ବର୍ଷର ସଜ୍ଜା ଓ ଲକ୍ଷେ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି । ଏହାସତ୍ତ୍ବେ କୋର୍ଟରେ ବିଧାୟିକାଙ୍କ ଜାମିନ ମଞ୍ଜୁର ହୋଇଛି । ଅନ୍ୟପଟେ ଏମପି-ଏମଏଲଏ କୋର୍ଟର ରାୟ ପରେ ସପା ବିଧାୟିକା ଏହାକୁ ବିରୋଧି ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।