ହାଇଦ୍ରାବାଦ: ଟ୍ବିଟରରେଅଶ୍ଳୀଳ ଭାଷା ବ୍ୟବହାର ଓ ଧମକପୂର୍ଣ୍ଣ ଟ୍ବିଟ କରିବା ଅଭିଯୋଗରେ ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ମନୀଷ ଜଗନ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି (Samajwadi Party Media Cell Twitter Account)। ଟ୍ୱିଟରରେ ଲୋକଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମନୀଷ ଜଗନ ଅଗ୍ରୱାଲଙ୍କ ବିରୋଧରେ ଏକାଧିକ ଏତଲା ଦାଖଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଲକ୍ଷ୍ନୌ ପୋଲିସ । ଉକ୍ତ ଟ୍ବିଟର ହ୍ୟାଣ୍ଡେଲରେ ନିୟମିତ ଏପରି କିଛି ଆପତ୍ତିଜନକ ପୋଷ୍ଟ କରାଯାଉଥିବା ନେଇ 3ଟି ଲିଖିତ ଅଭିଯୋଗ ହେବା ପରେ ଗତକାଲି(ଶନିବାର) ରାତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କାର୍ଯ୍ୟାନୁଷ୍ଠାନ ନେଇ ସମାଜବାଦୀ ପାର୍ଟି କ୍ଷୁବ୍ଧ ହେବା ସହ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ତେବେ ସେଠାରେ ତାଙ୍କ ସହ ଆଲୋଚନା କରିବା ପାଇଁ କେହି ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ ପାର୍ଟି ଟ୍ବିଟ କରି ଅଭିଯୋଗ କରିଛି । ଅନ୍ୟପଟେ ଡିଜିପି କାର୍ଯ୍ୟାଳୟରେ ଅଖିଳେଶ ଚା ପିଇବା ପାଇଁ ମନା କରୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।