ଓଡିଶା

odisha

One Nation, One Election committee: ପ୍ରଥମେ ସାମିଲ ହେବା ପାଇଁ ସହମତି ଦେଇଥିଲେ, ପରେ ମନା କଲେ ଅଧୀର !

By ETV Bharat Odisha Team

Published : Sep 3, 2023, 10:56 PM IST

ଏକକ ନିର୍ବାଚନ କମିଟିରେ ନାମ ପ୍ରକାଶ ପାଇବା ପୂର୍ବରୁ ସାମିଲ ହେବା ପାଇଁ ସହମତି ଦେଇଥିଲେ, ପରେ ମନା କଲେ ଅଧୀର ! ସରକାରୀ ସୂତ୍ରରୁ ମିଳିଲା ସୂଚନା । ଅଧିକ ପଢନ୍ତୁ

ପ୍ରଥମେ ସାମିଲ ହେବା ପାଇଁ ସହମତି ଦେଇଥିଲେ, ପରେ ମନା କଲେ ଅଧୀର !
ପ୍ରଥମେ ସାମିଲ ହେବା ପାଇଁ ସହମତି ଦେଇଥିଲେ, ପରେ ମନା କଲେ ଅଧୀର !

ନୂଆଦିଲ୍ଲୀ:ଏକକ ନିର୍ବାଚନ ପ୍ରସଙ୍ଗ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ 8ଜଣିଆ ଟିମ ଗଠନ କରିଥିଲେ ସେଥିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନାମ ଥିଲା । ଗତକାଲି ପ୍ୟାନେଲ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ଏହି ଟିମରେ ସାମିଲ ହେବାକୁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ ମନା କରିଥିଲେ ଅଧୀର ।

ହେଲେ ଏବେ ଭିନ୍ନ ସୂଚନା ସାମ୍ନାକୁ ଆସିଛି । ଏହି ଘୋଷଣା ଆକସ୍ମିକ ନଥିଲା ବରଂ ଟିମ ଗଠନ ହେବା ପୂର୍ବରୁ ଏଥିରେ ସଦସ୍ୟ ଭାବେ ସାମିଲ ହେବା ପାଇଁ ଅଧୀର ନିଜେ ସହମତି ପ୍ରକାଶ କରିଥିଲେ । ହେଲେ ବିଧିବଦ୍ଧ ଭାବେ ଟିମ ଘୋଷଣା ହେବା ପରେ ସେ ଏଥିରେ ଅଂଶଗ୍ରହଣ କରିବା ପାଇଁ ମନା କରିଦେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ସରକାରୀ ସୂତ୍ରରୁ ଏପରି ସୂଚନା ଆସିବା ପରେ ଅଧୀରଙ୍କର କୌଣସି ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନି ।

କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବାକୁ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ, ପୂର୍ବତନ ଲୋକସଭା ସଚିବ ସୁଭାଷ ସି.କଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ କମିଟିରେ ସ୍ଥାନ ମିଳିଥିଲା । ହେଲେ ନାମ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ସ୍ଥାନ ପାଇଥିବା ଏକମାତ୍ର କଂଗ୍ରେସ ନେତା ଅଧୀର ରଞ୍ଜନ ଏହି କିମିଟିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।


ଏହା ମଧ୍ୟ ପଢନ୍ତୁ:- 'One nation, one election': ଏକକ ନିର୍ବାଚନ ବିଚାର ଦେଶ ଓ ସବୁ ରାଜ୍ୟ ଉପରେ ଆକ୍ରମଣ କହିଲେ ରାହୁଲ

ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି କମିଟିରେ କାହିଁକି ସଦସ୍ୟ ଭାବେ ଚୟନ କରାନଗଲା ସେ ନେଇ ଅଧୀର ପ୍ରଶ୍ନ ଉଠାଇଥିଲେ । ଖଡଗେଙ୍କୁ କମିଟିରେ ସାମିଲ ନକରିବା ଦୁର୍ଭାଗ୍ୟଜନକ କହିଥିଲେ । ହେଲେ ତାଙ୍କ ନାମ କମିଟି ସଦସ୍ୟ ଭାବେ ପ୍ରକାଶ ପାଇବା ପୂର୍ବରୁ ଅଧୀର ସହମତି ପ୍ରକାଶ କରିଥିବା ଓ ପରେ ମନା କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିବା ପରେ କଂଗ୍ରେସର ଆଭିମୁଖ୍ୟ ନେଇ ଏବେ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details