ନୂଆଦିଲ୍ଲୀ:ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏକ ଭିଡିଓ ଜାରି କରି ସୋନିଆ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନକୁ ସମବେଦନ ଜଣାଣବା ସହ ସେ ଶାନ୍ତି ଫେରାଇ ଆଣିବା ପାଇଁ ମଣିପୁରବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି । ସୋନିଆ କହିଛନ୍ତି, ଏହି ଅଦ୍ଭୂତପୂର୍ବ ହିଂସା କେବଳ ମଣିପୁର ନୁହେଁ ବରଂ ଦେଶର ଅନ୍ତରାତ୍ମାକୁ ଗଭୀର ଆଘାତ ପହଞ୍ଚାଇଛି । ଲେକେ ଜୀବନ ରକ୍ଷା କରିବା ପାଇଁ ନିଜ ଘରୁ ପଳାୟନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ଏକ ଅତି ଯନ୍ତ୍ରଣାଦାୟକ ସ୍ଥିତି ।
କଂଗ୍ରେସ ପୂର୍ବ ଅଧ୍ୟକ୍ଷା ତଥା ଦଳର ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଏହି ପ୍ରସଙ୍ଗରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । କହିଛନ୍ତି, ‘‘ମଣିପୁରରେ ଦୀର୍ଘ ପ୍ରାୟ 50 ଦିନ ଧରି ହିଂସାର ସାମ୍ନା କରୁଛି । ଏହି ହିଂସା ରାଜ୍ୟରେ ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । ଅନେକ ଲୋକଙ୍କୁ ଏକା କରିଦେଇଛି । ଏହି ହିଂସାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କୁ ସମବେଦନା ଜଣାଉଛି । ଜଣେ ମା’ ଭାବରେ ମୁଁ ଆପଣଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛି । ମଣିପୁରର ଇତିହାସ ଏହାର ସମସ୍ତ ଜାତି, ଧର୍ମ ଏବଂ ବର୍ଗର ଲୋକଙ୍କୁ ଗ୍ରହଣ କରିବାର କ୍ଷମତା ଏବଂ ବିବିଧ ସମାଜର ସମ୍ଭାବନାକୁ ପ୍ରମାଣ କରୁଛି । ରାଜ୍ୟବାସୀ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରନ୍ତୁ । ନିକଟ କିଛି ସପ୍ତାହ ମଧ୍ୟରେ ଶାନ୍ତି ଫେରିବା ନେଇ ଆମେ ପ୍ରୟାସ କରିବା ଉଚିତ । ’’