ନୂଆଦିଲ୍ଲୀ:କଂଗ୍ରସର ସଭାପତି ଭାବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହେବା ପରେ ତାଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ (Sonia Gandhi congratulated Mallikarjun Kharge) । ଏହି ସାକ୍ଷାତକାର ସମୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ପତ୍ନୀ ରାଧାବାଇ ଖଡଗେ ମଧ୍ୟ ଉପସ୍ଥିତ ଥିଲେ । ସୋନିଆ ବର୍ତ୍ତମାନ ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ବେଳେ ଆଜି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ସୋନିଆଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେ ।
ତେବେ 22 ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । 1998 ରୁ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହି ଆସିଥିବା ବେଳେ ଶେଷ ଥର ପାଇଁ 2000 ମସିହାରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନିଆ ବିଜୟୀ ହୋଇଥିଲେ । 2017 ରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଥିଲେ ସୁଦ୍ଧା 2019 ସାଧାରଣ ନିର୍ବାଚନରେ ଦଳର ଧରାଶାୟୀ ପରାଜୟ ପରେ ଦାୟିତ୍ବରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହି ଆସିଛନ୍ତି ।