ରାୟପୁର:ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିବେ କଂଗ୍ରେସର ପୂର୍ବତନ ହାଇକମାଣ୍ଡ ତଥା ୟୁପିିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦଳ ପକ୍ଷରୁ ନିକଟରେ ଶେଷ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ ତାଙ୍କ ରାଜନୈତିକ କ୍ୟାରିୟରର ଶେଷ କାର୍ଯ୍ୟକ୍ରମ ହୋଇପାରେ । ଆଜି (ଶନିବାର) ରାୟପୁରରେ ଜାରି ରହିଥିବା ଦଳୀୟ ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସକୁ ସମ୍ବୋଧିତ କରିବା ବେଳେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ଉପରେ ବର୍ଷିବା ସହ ନିଜ ଅବସର ନେଇ ସୋନିଆ ଏପରି ସଙ୍କେତ ଦେଇଛନ୍ତି । ନିକଟରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ସାଙ୍ଗଠନିକ ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଅନେକ ବର୍ଷ ବ୍ୟବଧାନ ପରେ ଅଣଗାନ୍ଧୀ ପୃଷ୍ଠଭୂମିରୁ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
ଆଜି ଦଳୀୟ ମହାଅଧିବେଶନକୁ ସମ୍ବୋଧିତ କରିଛନ୍ତି ସୋନିଆ କହିଛନ୍ତି, ସେ ଖୁସି ଯେ, ତାଙ୍କର ଅଧ୍ୟକ୍ଷା ଭାବେ କାର୍ଯ୍ୟକାଳ ଭାରତ ଯୋଡୋ ଯାତ୍ରା ମଧ୍ୟରେ ହିଁ ଶେଷ ହୋଇଥିଲା । ତାଙ୍କ ନେତୃତ୍ବ ସମୟରେ ଦଳ ସଫଳତା ହାସଲ କରିଛି । ହେଲେ ସେ ଆଗକୁ କଂଗ୍ରେସରେ ସକ୍ରିୟ ରହିବେ ନାହିଁ । ଭାରତ ଯୋଡୋ ଯାତ୍ରା ତାଙ୍କ ରାଜନୈତିକ କ୍ୟାରିୟରର ଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏବେ ମଧ୍ୟ ଜାତୀୟ କଂଗ୍ରେସର ପ୍ରଚ୍ଛନ୍ନ ମୁଖ୍ୟ ଭାବେ ସୋନିଆଙ୍କୁ ବିଚାର କରାଯାଉଥିବା ବେଳେ ଏହା ତାଙ୍କର ପରୋକ୍ଷ ରାଜନୈତିକ ଅବସର ଘୋଷଣା ବୋଲି କୁହାଯାଉଛି ।