ପାଣାଜୀ: ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ ଖୋଜିବ ସିବିଆଇ । ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ସିବିଆକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ଅଗଷ୍ଟ 23ରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ଗୋଆର ଏକ ହୋଟେଲରେ ହୋଇଥିଲା । ଯାହା ରହସ୍ୟ ଘରରେ ରହିଛି । ମୃତ୍ୟୁର କାରଣ ଉପରୁ ପରଦା ଏଯାଏ ହଟିନାହିଁ ଯାହାକୁ ନେଇ ତାଙ୍କ ଝିଅ ଓ ପରିବାର ଗୋଆ ଓ ହରିୟାଣା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ଲୋକ ଓ ପରିବାରଙ୍କ ଦାବିକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।
ସୋନାଲି ଫୋଗଟ ଏତେ ସୁସ୍ଥ ଓ ଆକ୍ଟିଭ ଥିଲେ ଯେ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିବା ପରିବାର ଗ୍ରହଣ କରିପାରି ନଥିଲେ । ବାରମ୍ବାର ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଥିଲେ ପରିବାର । ଏହାସହ ସୋନାଲିଙ୍କ ଫ୍ୟାନ୍ସ ମଧ୍ୟ ସମାନ ଦାବି କରିଥିଲେ । ଏହା ପରେ ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର । ହତ୍ୟା ଘଟଣାର ତଦନ୍ତ ଜାରି ରହିଛି । ପୋଲିସ ଉପର ବିଶ୍ବାସ ଅଛି ସେମାନେ ଉତ୍ତମ ତଦନ୍ତ କରୁଛନ୍ତି । ସିବିଆଇ ତଦନ୍ତ ପାଇଁ ଦାବି ହୋଇଥିବାରୁ ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ଏନେଇ ଗୃହମନ୍ତ୍ରୀଙ୍କୁ ଚିଠି ଲେଖା ଯାଇଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।