ଓଡିଶା

odisha

ମା’ ଗଳା କାଟିଦେଲା ପୁଅ, ପଢ଼ିବା ବେଳେ ଫୋନ ଦେଖିବାକୁ କରିଥିଲେ ମନା

By

Published : Feb 17, 2023, 6:01 PM IST

ପାଠ ପଢ଼ିବା ସମୟରେ ଫୋନ ଦେଖିବାକୁ ବାରଣ କରିବାରୁ ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା । ଅଧିକ ପଢ଼ନ୍ତୁ

ମହାରାଷ୍ଟ୍ରରେ ମାଆକୁ ହତ୍ୟା କଲା ପୁଅ
son killed to mother due to Mobile addiction

ମୁମ୍ବାଇ: ପୁଅକୁ ମୋବାଇଲ ଦେଖିବାକୁ ବାରଣ କରିବା ହେଲା କାଳ । ବାରମ୍ବାର ଫୋନ ଦେଖିବାକୁ ବାରଣ କରିବାରୁ ମାଆକୁ ମୃତ୍ୟୁ ଶେଯରେ ଶୁଆଇଦେଲା ପୁଅ । ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳକ ନିଜ ମାଆଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲା । ମହାରାଷ୍ଟ୍ର ପୁଣେ ସ୍ଥିତ ଉର୍ଲିକାଞ୍ଚାନରେ ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି । ମୃତ ମହିଳା ଜଣକ ତସଲିମ ଜାମିର ଶେଖ । ପାଠ ପଢିବା ସମୟରେ ପୁଅ ବାରମ୍ବାର ଫୋନ ଦେଖୁଥିବାରୁ ସେ ବାରଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପୁଅ ନିଜ ମାଆଙ୍କ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, ଏହି ଘଟଣାଟି ଗତ 15 ତାରିଖ ଅପରାହ୍ନ 3.30 ସମୟରେ ଘଟିଛି । ଉର୍ଲିକାଞ୍ଚାନ ଅଞ୍ଚଳରେ ତସଲିମ ଜାମିର ଶେଖ ନାମକ ଜଣେ ମହିଳାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ପୋଲିସ ଖବର ପାଇଥିଲା । ଘଟଣାସ୍ଥଳରେ ଲୋନି କଲଭୋର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା । ତିନି ଜଣ ଡାକ୍ତରଙ୍କ ତତ୍ତ୍ବାବଧାନରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ମହିଳାଙ୍କ ମୁଣ୍ଡ ଓ ଗଳାରେ ଆଘାତ ଲାଗିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଥିଲା । ରିପୋର୍ଟ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଥିଲା ।

ଏନେଇ ବରିଷ୍ଠ ପୋଲିସ ଅଧିକାରୀ ଦତ୍ତାତ୍ରେୟ ଚାବନ ସୂଚନା ଦେଇ କହିଛନ୍ତି, "ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମାଲା ରୁଜୁ ହୋଇଥିଲା । ଏନେଇ ପୋଲିସ ମହିଳାଙ୍କ ସ୍ବାମୀ ଓ ପୁଅକୁ ପଚରାଉଚରା କରିଥିଲା । ଏହି ସମୟରେ ପୁଅ ସତକଥା ବଖାଣିଥିଲା । ଘଟଣା ଦିନ ମୁହିଳାଙ୍କ ସ୍ବାମୀ ନମାଜ ପାଠ ପାଇଁ ଯାଇଥିବାବେଳେ ସାନଝିଅ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ କେବଳ ତସଲିମ ଓ ତାଙ୍କ ପୁଅ ଥିଲେ । ପୁଅ ପାଠ ପଢ଼ିବା ସମୟରେ ମୋବାଇଲ ଦେଖୁଥିଲା । ତେଣୁ ତସଲିମ ପୁଅ ଉପରେ ରାଗି ଗାଲକୁ ଚାପୁଡା ମାରିଥିଲେ । ଏଥିରେ କ୍ରୋଧଭର ହୋଇ ପୁଅ ନିଜ ମାଆକୁ ଧକ୍କା ଦେଇଥିଲା । ଏହାପରେ ଗଳାକାଟି ତାଙ୍କୁ ହତ୍ୟା କରିଥିଲା ।"

ପୋଲିସ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ତସଲିମଙ୍କ ମୃତ୍ୟୁ ପରେ ପୁଅ ଭୟଭୀତ ହୋଇଯାଇଥିଲା । ଏହାପରେ ବ୍ଲେଡ ସାହାଯ୍ୟରେ ତାଙ୍କ ଗୋଡହାତକୁ କାଟିଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇସାରିଥିବାରୁ ଶରୀରରୁ ରକ୍ତ ବାହାରିନଥିଲା । ତେଣୁ ଫ୍ୟାନରେ ଝୁଲାଇବା ପାଇଁ ଉଦ୍ୟମ କରିଥିଲା । ମହିଳାଙ୍କ ମୃତଦେହ ତଳେ ପଡ଼ିଥିଲା ।

କିଛି ସମୟ ପରେ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚି ପଚାରିବାରୁ ପୁଅ କହିଥିଲା, "ମାଆ ଆତ୍ମହତ୍ୟା କରିଛନ୍ତି, ମୁଁ ତାଙ୍କୁ ଉପରୁ ଆଣି ତଳେ ରଖିଛି । " ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା ମାମଲା ରୁଜୁ ହୋଇଥିଲା । ପରିବାର ପକ୍ଷରୁ କେହି ଅଭିଯୋଗ ଦାଖଲ କରିବାକୁ ରାଜି ନଥିବାରୁ ପୋଲିସ ନିଜେ ଆସି ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details