ହାଇଦ୍ରାବାଦ:ଆଜି ମହାମାରୀର ମହାତାଣ୍ଡବରେ ହାହାକାର ଦେଶ । କିଏ ସ୍ବାମୀଙ୍କୁ ହରାଉଛି ତ ଆଉ କାହା ମୁଣ୍ଡ ଉପରୁ ଉଠିଯାଉଛି ବାପାମାଆଙ୍କ ଛାୟା । ତେଲେଙ୍ଗାନା ସାଙ୍ଗରେଡ୍ଡୀ ଜିଲ୍ଲା ଇସମେଲଖାନପେଟରୁ କୋରୋନାର ରଚିଥିବା ସେଭଳି କିଛି ହୃଦୟଥରା କାହାଣୀ ସାମ୍ନାକୁ ଆସିଛି । କୋରୋନାରେ ମାଆକୁ ହରାଇଥିବା ଶୋକସନ୍ତପ୍ତ ପୁଅ ନିଜ ମାଆର ମୃତଦେହ ଆଗରେ ବିବାହ କରିଛି ।
ସୂଚନାଯୋଗ୍ୟ, ଇସମେଲଖାନପେଟର 49 ବର୍ଷୀୟା ପାଲପାନୁରି ରେଣୁକା କୋରୋନା ସଂକ୍ରମିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ତାଙ୍କ ଦ୍ବିତୀୟ ପୁଅଙ୍କ ବିବାହ କାର୍ଯ୍ୟ ପ୍ରସ୍ତୁତି ଚାଲିଥିଲା ଏବଂ ତାଙ୍କ ପୁଅ ଆମେରିକାରୁ ଆସିଥିଲେ । କିନ୍ତୁ ମାଆଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି ଯୁବକ ଜଣକ ଚଳିତ 21 ତାରିଖରେ ହେବାକୁ ଥିବା ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ମାତ୍ର ତାଙ୍କ ମାଆଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା ଏବଂ ଶେଷରେ ରେଣୁକା ଚିକିତ୍ସାଧୀନ ଭାବେ ଆଖି ବୁଜିଥିଲେ । ଏହାପରେ ପୁଅକୁ ହାତକୁ ଦି ହାତ କରିବାକୁ ଆଶା ବାନ୍ଧିଥିବା ମାଆର ଆଶା ପୁରଣ କରିବାକୁ ଯୁବକ ନିଷ୍ପତ୍ତି ନେଇଥିଲେ । ଏଣୁ ସେ ମାଆର ମୃତଦେହ ଆଗରେ ନିଜ ଭାବି ପତ୍ନୀକୁ ବରଣ ମାଳା ପିନ୍ଧାଇ ବିବାହ କରିଥିଲେ । ଯେଉଁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳାଇ ଦେଇଛି ।