ପାଟନା:ସମଗ୍ର ରାଜ୍ୟକୁ ଲଜ୍ଜିତ କରିଦେବା ଭଳି ଘଟଣା ଏବେ ସାମନାକୁ ଆସିଛି । ଯାହା ସମଗ୍ର ବିହାର ଜିଲ୍ଲା ସହ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଦୁଃଖଦାୟକ ଭିଡିଓ ଦେଖିଲେ ଆଖିରୁ ଲୁହ ବୋହିବା ସହ ହୃଦୟ ଥରି ଯାଉଛି । କାରଣ ଏହି ଭିଡିଓରେ ଏକ ଏମିତି ବାପାର ଛବି ଅଛି, ଯିଏ ପୁଅକୁ ବଡ ମଣିଷ କରିବା ପାଇଁ କଣ କଣ ନ କରିଛି, ପୁଅକୁ ଶିକ୍ଷିତ କରାଇଛି । ସରକାରୀ ସ୍କୁଲରେ ଶିକ୍ଷକତା ପାଇଁ ନିଜ ପେଟରେ ଓଦା କନା ପକାଇ ପୁଅକୁ ଯୋଗ୍ୟ କରାଇଛି । ସେହି ପୁଅ ଆଜି ବାପାର କଷ୍ଟକୁ ନ ବୁଝି କୋରୋନା ରୋଗାକ୍ରାନ୍ତ ବାପାକୁ ରାସ୍ତାରେ ଏକୁଟିଆ ଛାଡି କେଉଁଆଡେ ପଳାଇଛି । ଯେଉଁ ବାପା ପୁଅର ଟିକିଏ ଥଣ୍ଡାରେ ବ୍ୟସ୍ତ ହୋଇ ପଡେ, ସେହି ପୁଅ ଆଜି ବାପାକୁ ଏତେ ବଡ ମହାମାରୀରୁ ରକ୍ଷା ନ କରି ପର କରି ଦେଇଛି । ଚାଲନ୍ତୁ ଜାଣିବା, କିଏ ସେହି ଅଯୋଗ୍ୟ ପୁଅ, ଆଉ କିଏ ସେହି ହତଭାଗା ବାପା ।
ଘଟଣାଟି ଦମଚୁକ ଅଞ୍ଚଳରେ ବାସ କରୁଥିବା ଅର୍ଜୁନ ଓଝାଙ୍କର । ସେ ଗତ 2 ଦିନ ତଳେ କୋରୋନା ସଂକ୍ରମିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଅର୍ଜୁନଙ୍କୁ ମେଡିକାଲ ନେବା ପାଇଁ ତାଙ୍କ ପୁଅଙ୍କ ଉପରେ ଚାପ ପକାଇଥିଲେ । ଶିକ୍ଷକ ଥିବା ତାଙ୍କ ପୁଅ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଜିଲ୍ଲା ହସପିଟାଲକୁ ପଠାଇ ଦେଇଥିଲେ । ଆମ୍ବୁଲାନ୍ସରେ ଅର୍ଜୁନଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପୁଅ-ବୋହୂ ସାଥିରେ ଆସିବା ନେଇ କଥା ମଧ୍ୟ ଦେଇଥିଲେ । କିନ୍ତୁ ବାପା-ବୋଉଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇ ଦେଇ ପୁଅ-ବୋହୂ ଛୁ ମାରିଲେ ।