ଲକ୍ଷ୍ନୌ:ସାମାନ୍ୟ ବଚସାରୁ ପୁଅ ଭୁଲିଲା ବାପା ପୁଅର ସମ୍ପର୍କ । ବାପାକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ । ମୃତକ ହେଲେ 65 ବର୍ଷୀୟ ହଂସରାଜ ସିଂହ । ହତ୍ୟାକାରୀ ବଡପୁଅକୁ ଗିରଫ କରିଛି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ମୃତ ହଂସରାଜ ସିଂହ ସ୍ତ୍ରୀ, ଦୁଇ ପୁଅ ବୋହୁ ସହ ରହୁଥିଲେ । ବଡପୁଅ ଧିରେନ୍ଦ୍ର ସିଂହ ପ୍ରାୟ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ଏହାକୁ ନେଇ ଗତ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡପୁଅ ଘରକୁ ଫେରି ନଥିଲା । ପରେ ଘରକୁ ଫେରିବା ପରେ ବାପା ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡପୁଅ ପାଖରେ ଥିବା ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରି ଚାଲିଥିଲା । ଏଥିରେ ବୃଦ୍ଧ ଜଣକ ଗୁରୁତର ହୋଇପଡିଥିଲେ । ହଂସରାଜଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ରାନି ନେହେରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାପାକୁ ହତ୍ୟା ପରେ ହତ୍ୟାକାରୀ ପୁଅ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରେ ପୋଲିସ ଖୋଜାଖୋଜି ପରେ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ପୋଲିସ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ କରିଛି । ଧିରେନ୍ଦ୍ର ହେଉଛି ମୃତକଙ୍କ ବଡପୁଅ ସେ ସବୁବେଳେ ଡ୍ରଗସ୍ ସହ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରେ ବୋଲି ଜଣାପଡିଛି ।