ଶ୍ରୀନଗର: ଲଦାଖରେ ହିମସ୍ଖଳନ ଘଟି ସେନାର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ କୁନ୍ ପର୍ବତାଞ୍ଚଳରେ ଏହି ହିମସସ୍ଖଳନ ଘଟିଛି । ନିଖୋଜଙ୍କୁ ଠାବ କରିବା ପାଇଁ ରେସ୍କ୍ୟୁ ଅପରେସନ ଗତକାଲିଠାରୁ ଜାରି ରହିଛି । ଏବେ ସୁଦ୍ଧା ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜ ଯବାନଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରିନି ।
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାଇ ଲାଟିଟ୍ୟୁଡ ଓ୍ବାରଫେୟାର ସ୍କୁଲ (HAWS)ରେ ପ୍ରଶିକ୍ଷଣ ନେଉଥିବା ଆର୍ମି ଆଡଭେଞ୍ଚର ୱିଙ୍ଗର ପ୍ରାୟ 40 ଯବାନଙ୍କର ଏକ ଟିମ୍ କୁନ୍ ପର୍ବତାଞ୍ଚଳ (ଲଦାଖ)ରେ ଏକ ସାଧାରଣ ପ୍ରଶିକ୍ଷଣ ଅଭ୍ୟାସରେ ନିୟୋଜିତ ହୋଇଥିଲେ । ତେବେ ଗତକାଲି ସେମାନେ ଅଭ୍ୟାସ ଜାରି ରଖିଥିବା ବେଳେ ହିମସ୍ଖଳନ ହୋଇଥିଲା । ଏଥିରେ ଅନ୍ୟମାନେ ବର୍ତ୍ତିଯାଇଥିବା ବେଳେ 4 ଜଣ ଯବାନ ନିଖୋଜ ହୋଇଯାଇଥିଲେ ।
ଅନ୍ୟମାନେ ଏ ସମ୍ପର୍କରେ ୟୁନିଟକୁ ସୂଚନା ଦେବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ନିଖୋଜଙ୍କ ମଧ୍ୟରୁ ଜଣେ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ଅନ୍ୟ ତିନିଜଣଙ୍କର କୌଣସି ପତ୍ତା ମିଳିନାହିଁ । ରେସ୍କ୍ୟୁ ଅପରେସନ ଜାରି ରହିଛି ।