ବରଫପାତ ସାଜିଲାନି ବାଧକ, ସ୍କୁଲ ଗଲେ କୁନି କୁନି ଛାତ୍ରୀ ସିମଲା:ହିମାଚଳପ୍ରଦେଶର ଲାହୌଲ ସ୍ପିତିଠାରେ ଜାରି ରହିଛି ଶୀତର ଲହରୀ । ଏଠାରେ ଗଭୀର ତୁଷାରପାତ ହେଉଥିବା ବେଳେ ସ୍କୁଲ ଯାଇଛନ୍ତି କୁନି କୁନି ଛାତ୍ରୀ । ଫଳରେ ପାଠପଢା ପ୍ରତି ସେମାନଙ୍କର ଗଭୀର ଇଚ୍ଛାଶକ୍ତି ସ୍ପଷ୍ଟ ବାରି ହୋଇପଡ଼ିଛି । ଜିଲ୍ଲାର କାଜା ଅଞ୍ଚଳରେ ୨ ଫୁଟର ବରଫ ଜମିଥିବା ବେଳେ ରାସ୍ତାଘାଟ ବନ୍ଦ ହୋଇଯାଇଛି । ଏହି ଅଞ୍ଚଳବାସୀ ଘରେ ରହିଥିବା ବେଳେ ସାମନାକୁ ଆସିଛି ଏକ ଭିଡିଓ । ଯାହାକି ସଭିଙ୍କ ମନରେ ଜୋଶ ଭରି ଦେଇଛି । ବରଫପାତ ଜାରି ରହିଥିବା ବେଳେ କୁନି କୁନି ଛାତ୍ରୀମାନେ ସ୍କୁଲକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ବନୟାଲ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ କୁନି କୁନି ପିଲାମାନେ ଧାଡି ବାନ୍ଧି ସ୍କୁଲକୁ ଯାଉଛନ୍ତି । ଏହି ସମୟରେ ମଧ୍ୟ ତୁଷାରପାତ ଜାରି ରହିଛି । କାଜା ଅଞ୍ଚଳରେ ଛାତ୍ରୀମାନଙ୍କ ଲାଗି ଏକମାତ୍ର ହଷ୍ଟେଲ ରହିଛି । ଏଠାରେ ଆଖପାଖ ଅଞ୍ଚଳର ପ୍ରାୟ ୬୦ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି । ଏଭଳି ସ୍ଥିତିରେ ତୁଷାରପାତ ମଧ୍ୟ ସେମାନଙ୍କ ପାଠପଢିବାର ଆଗ୍ରହକୁ ହ୍ରାସ କରିନାହିଁ । ବରଫପାତ ହେଉଥିବା ସମୟରେ ମଧ୍ୟ ସେମାନେ ପାଠ ପଢିବା ଲାଗି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- Budget Session: ସଂସଦରେ କୁନ୍ତଳା କୁମାରୀ ସାବତଙ୍କ ପଂକ୍ତି ଉଦ୍ଧୃତ କଲେ ରାଷ୍ଟ୍ରପତି ମୁର୍ମୁ
କାଜା ଅଞ୍ଚଳରେ ଗତ ୨ ଦିନ ଧରି ବରଫପାତ ହେଉଥିବାରୁ ରାସ୍ତାଘାଟରେ ବରଫ ଜମି ରହିଛି । ଫଳରେ ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଲୋକମାନେ ପାଦରେ ଚାଲି ଚାଲି ସତର୍କତାର ସହିତ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଖାଲି ଯାନବାହନରେ ବାଧା ଉପୁଜିନି ଏହା ସହ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏହାସହ ଲୋକଙ୍କୁ ପାଣି ପିଇବାରେ ମଧ୍ୟ ସମସ୍ୟା ଉପୁଜୁଛି । ପାଗରେ ପରିବର୍ତ୍ତନ ଆସିବା ପରେ ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ ଆରମ୍ଭ କରାଯିବ । ଅନ୍ୟପଟେ ବିଦ୍ୟୁତ ସେବା ପୁନଃ ସଂଯୋଗୀକରଣ କରିବା ଲାଗି ପ୍ରଶାସନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ।
ସ୍ଥାନୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ପାଗ ସ୍ବାଭାବିକ ରହିବ । ହେଲେ ତଳିଆ ଅଞ୍ଚଳର କିଛି ସ୍ଥାନରେ ମେଘାଚ୍ଛନ୍ନ ରହିବା ସହ ଶୀତ ଲହରୀ ଜାରି ରହିବ । ଏଥିଲାଗି ଉକ୍ତ ସ୍ଥାନଗୁଡ଼ିକୁ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ପାଗରେ ସେତେଟା ପରିବର୍ତ୍ତନ ହେବ ନାହିଁ । ଆସନ୍ତାକାଲି (ଫେବୃଆରୀ ୧ତାରିଖ) ଗୋଟିଏରୁ ଦୁଇଟି ସ୍ଥାନରେ ବରଫପାତ ହେବା ନେଇ ଆକଳନ କରାଯାଇଛି ।