ରାୟପୁର: ଛତିଶଗଡ-ଓଡିଶା ସୀମାବର୍ତ୍ତୀ ଜଙ୍ଗରେ ମାତିଛି ବାଘ ଚମଡା ରାକେଟ । ଜଙ୍ଗଲରୁ ବାଘ ଶିକାର କରି ବର୍ଡର ପାର କରାଇ ମୋଟା ଅଙ୍କରେ ହେଉଛି ସ୍ମଗ୍ଲିଂ । ସୀମାନ୍ତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରୀମାନେ ବହୁସଂଖ୍ୟାରେ ସକ୍ରିୟ ରହିଛନ୍ତି । ନିକଟ ଅତୀତରେ ଏକାଧିକ ଏପରି ଘଟଣା ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଅସ୍ଥିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ଏହିପରି ଆଉ ଏକ ଘଟଣାରେ ବନ ବିଭାଗ ଓ ପୋଲିସକୁ ସଫଳତା ମିଳିଛି । ପୁଣି ଥରେ ରାଜ୍ୟ ବନ ବିଭାଗ ଛତିଶଗଡର ଗରିଆବନ୍ଦ ଓ ଓଡିଶାର କଳାହାଣ୍ଡି ସୀମାନ୍ତ ଏରିଆରୁ ପାଞ୍ଚଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ଯେଉଁମାନେ କଲରାପତରିଆ ବାଘ ଚମଡା ଚୋରା ଚାଲାଣ କରୁଥିଲେ । ପୋଲିସ ଓ ବନ ବିଭାଗ ପୂର୍ବ ପ୍ରସ୍ତୁତି ସହ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଘ ଚମଡା ମଧ୍ୟ ଜବତ କରିଛି ।
ଛତିଶଗଡ ବନ ବିଭାଗ ଗରିଆବନ୍ଦ ଏବଂ କାଲାହାଣ୍ଡିରେ ସୀମାନ୍ତରେ ଏହି ରାକେଟକୁ ଠାବ କରିବା ପାଇଁ ବହୁଦିନରୁ କାର୍ଯ୍ୟକ୍ରମ ଜାରି ରଖିଥିଲା । ଛତିଶଗଡ-ଓଡିଶା ସୀମା ଅଞ୍ଚଳର ଏକ ଗ୍ରାମ ନିକଟରେ ଜଙ୍ଗଲ ବିଭାଗ ଏବଂ ଛତିଶଗଡ ପୋଲିସ ଏକକାଳନୀ ଚଢାଉ କରିଥିଲା । କଲରାପତରିଆର ବାଘ ଚମଡା ବିକ୍ରି କରିବାକୁ ଏମାନେ ମୂଲଚାଲ କରୁଥିଲେ । ଚମଡା ସହ 5 ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ 1.97 ମିଟର ଲମ୍ବା କଲରାପତରିଆ ବାଘର ଚମଡା ଉଦ୍ଧାର କରାଯାଇଛି । ଶିକାର ହୋଇଥିବା ବାଘର ବୟସ ପ୍ରାୟ 3 ବର୍ଷ ହେବା ନେଇ ଚମଡାର ଲମ୍ବରୁ ବନ ବିଭାଗର ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ, ପାଞ୍ଚଟି ମୋବାଇଲ୍ ଫୋନ୍ ଏବଂ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।