ରାଞ୍ଚି: ଝାଡଖଣ୍ଡର ହାଟିଆ ରେଳଷ୍ଟେସନରେ ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଜଣଙ୍କୁ ଗିରଫ କରିଛି ରେଳବାଇ ପୋଲିସ । ସେମାନଙ୍କ ଠାରୁ 38 କିଲୋଗ୍ରାମ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ । ଗିରଫ ଦୁଇ ଅଭିଯୁକ୍ତ ସୁରଜ ସିଂ ଏବଂ ବଜରଙ୍ଗ ବାହାଦୂର ହୋଇଥିବାବେଳେ ଉଭୟ ଓଡିଶାର ରାଉରକେଲାର ବାସିନ୍ଦା ବୋଲି ପୋଲିସ କହିଛି । ସେମାନେ ନିୟମିତ ରାଞ୍ଚିକୁ ଗଞ୍ଜେଇ ଚାଲାଣ କରୁଥିବା ମଧ୍ୟ ସନ୍ଦେହ କରୁଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର-ବନାରସ ଏକ୍ସପ୍ରେସରୁ ଏହି ଦୁଇ ଅଭିଯୁକ୍ତ ଓହ୍ଲାଇବା ପରେ ସେମାନଙ୍କ ଗତିବିଧି ନେଇ ସନ୍ଦେହ ହେବାରୁ ପୋଲିସ ସେମାନଙ୍କୁ ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ସେମାନଙ୍କ ଠାରୁ 19ଟି ପ୍ୟାକେଟରେ ପ୍ୟାକିଂ ହୋଇଥିବା ପ୍ରାୟ ୩୮ କି.ଗ୍ରା ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ହେବା ନେଇ ପ୍ରାଥମିକ ଆକଳନ କରାଯାଇଛି ।