ଲକ୍ଷ୍ନୌ: ଉତ୍ତରପ୍ରଦେଶ କଂଗ୍ରେସ ନେତା ଅଜୟ ରାୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସ୍ମୃତି ଇରାନୀ କେବଳ ଲଟ୍କା ଝଟ୍କା ଦେଖାଇବାକୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସନ୍ତି ବୋଲି ସେ କହିଛନ୍ତି । ଯାହାର କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇରାନୀ(UP Congress leader's 'latka-jhatka' comment) । କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ୨୦୨୪ରେ ଅମେଠୀରୁ ନିର୍ବାଚନ ଲଢିବାକୁ ରାହୁଲଙ୍କୁ ଆହ୍ବାନ ଦେଇଛନ୍ତି ।
ସ୍ମୃତି ଇରାନୀ ଟ୍ବିଟ୍ କରିଛନ୍ତି, "ରାହୁଲ ଗାନ୍ଧୀଜୀ ଆପଣ ନିଜର ଜଣେ ସ୍ଥାନୀୟ ନେତାଙ୍କ ଦ୍ବାରା ୨୦୨୪ରେ ଅମେଠୀରୁ ନିର୍ବାଚନ ଲଢିବା ପାଇଁ ଅଭଦ୍ର ଭାବେ ଘୋଷଣା କରିଥିବା ଶୁଣିବାକୁ ମିଳୁଛି । ଅମେଠୀରୁ ଲଢିବା ପକ୍କା ବୋଲି ମୁଁ ବୁଝିବି ତ ? ଆପଣ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିବା ପାଇଁ ପଳାୟନ କରିବେ ନାହିଁ ତ ? ଡରି ଯିବେନି ତ ? ଆପଣ ଓ ଆପଣଙ୍କ ମାଆ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା ମହିଳା ବିରୋଧି ଗୁଣ୍ଡାଙ୍କୁ ନୂଆ ଭାଷଣ ଲେଖକ(speechwriter) ଯୋଗାଇ ଦିଅନ୍ତୁ ।"