ନୂଆଦିଲ୍ଲୀ: ବଢୁଥିବା ଇନ୍ଧନ ଦରକୁ ନେଇ ଦେଶବ୍ୟାପୀ ମୋଦି ସରକାରକୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଆଜି ଏହାରି ମଧ୍ୟରେ ବିମାନ ଯାତ୍ରା ବେଳେ ଏପରି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ । ଦିଲ୍ଲୀ-ଗୌହାଟୀ ବିମାନରେ ଇରାନୀ ଯାତ୍ରା କରୁଥିବାବେଳେ ଜଣେ ମହିଳା କଂଗ୍ରେସ କର୍ମକର୍ତ୍ତା ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚାରିବା ସହ ତାଙ୍କ ଠାରୁ ଉତ୍ତର ଚାହିଁଥିଲେ । ଉଭୟଙ୍କ ମଧ୍ୟରେ ସମାନ୍ୟ ତର୍କ ମଧ୍ୟ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।
ଇନ୍ଧନ ଦର ବୃଦ୍ଧି ପ୍ରସଙ୍ଗରେ ବିମାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ କଂଗ୍ରେସ ନେତ୍ରୀ ମୁହାଁମୁହିଁ, ଭିଡିଓ ଭାଇରାଲ ଉକ୍ତ କଂଗ୍ରେସ ନେତ୍ରୀଜଣଙ୍କ ହେଉଛନ୍ତି, କଂଗ୍ରେସ ମହିଳା ମୋର୍ଚ୍ଚାର ମୁଖ୍ୟ ନେତା ଡିସୌଜା । ଡିସୌଜା ମଧ୍ୟ ସମ୍ପୂର୍ଣ୍ଣ ଘଟଣାର ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି । ତର୍କ ବେଳେ କଂଗ୍ରେସ ନେତ୍ରୀ ନିଜ ମୋବାଇଲ କ୍ୟାମେରା ଅନ କରି ପ୍ରଶ୍ନ କରୁଥିବା ବେଳେ ଇରାନୀ ମଧ୍ୟ ନିଜେ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା ।
କେନ୍ଦ୍ରମନ୍ତ୍ରୀ ଇରାନୀ ବିମାନ ଭିତରେ କଂଗ୍ରେସ ନେତ୍ରୀ ତାଙ୍କୁ ପ୍ରଶ୍ନ କରିଥିବାବେଳେ ଇରାନୀ ମିଛ କୁହ ନାହିଁ ବୋଲି କହୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି । ବିମାନ ମଧ୍ୟରୁ ଉଭୟଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଥିବା ବେଳେ ଉଭୟ ବିମାନ ବାହାରକୁ ଆସିବା ସମୟରେ ମଧ୍ୟ ଏହି ପ୍ରଶ୍ନୋତ୍ତର ଜାରି ରହିଥିବା ଦେଖିବାକୁ ମିଳିଥିଲା ।
ଡିସୌଜା ତାଙ୍କର ଏହି ଟ୍ବିଟରେ ସ୍ମୃତି ଇରାନୀଙ୍କୁ ଟ୍ୟାଗ କରି ଏହି ଭିଡିଓ ପୋଷ୍ଟ କରିବା ସହ ଜନତାଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ମଧ୍ୟ ରଖିଛନ୍ତି । ଡିସୌଜା କହିଛନ୍ତି ଗୌହାଟି ଯିବା ରାସ୍ତାରେ ମୋଦି କ୍ୟାବିନେଟରେ ମନ୍ତ୍ରୀ ଇରାନୀଙ୍କୁ ଅହେତୁକ ଇନ୍ଧନ ବୃଦ୍ଧିର କାରଣ ସମ୍ପର୍କରେ ପଚରାଯିବାରୁ ସେ କୋଭିଡ ଭ୍ୟାକ୍ସିନ, ରାସନ ଓ ଗରିବିର କଥା କହି କହି ପ୍ରକୃତ କାରଣକୁ ଏଡାଯାଇଛନ୍ତି ।
ସାରା ଦେଶରେ ଜାଳେଣି ଇନ୍ଧନ ସହ ଏଲପିଜି ଦର ମଧ୍ୟ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ଦର 105.41 ରହିଥିବା ବେଳେ ଡିଜେଲ 96.67 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଚ୍ଛା ଦର 120.51 ଟଙ୍କା ଓ ଡି଼ଜେଲ 104.77 ରହିଛି । ତେବେ ଏପରି ଇନ୍ଧନ ଦର ବୃଦ୍ଧିକୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ କାରଣ ଦର୍ଶାଉଥିବା ବେଳେ କଂଗ୍ରେସ ଏହାକୁ ନିର୍ବାଚନୀ ରାଜନୀତି ବୋଲି ଅଭିଯୋଗ କରିଆସିଛି ।
ସେହିପରି ଏହି ତୈଳଦର ବୃଦ୍ଧି ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ କହିଥିଲେ ୟୁକ୍ରେନ-ଋଷ ଯୁଦ୍ଧର ପ୍ରଭାବ ସମଗ୍ର ଅନ୍ତର୍ଜୀତୀୟ ମାର୍କେଟରେ ପଡିଛି । ଅନ୍ୟ କିଛି ଦେଶରେ ଭାରତ ଠାରୁ ତେଲ ଦର ଯଥେଷ୍ଟ ଭାବେ ବୃଦ୍ଧି ପାଇଛି ।ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ ଏବଂ ଶ୍ରୀଲଙ୍କାରେ ମୂଲ୍ୟ 50 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭାରତରେ ମାତ୍ର 5 ପ୍ରତିଶତ ବୃଦ୍ଧି ପାଇଥିବା କହିଥିଲେ ପୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ