ହାଇଦ୍ରାବାଦ:ସ୍କୁଲ ବେଳର ଜଣେ ସାଙ୍ଗଙ୍କ ନିର୍ଯାତନା କାରଣରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ତେଲେଙ୍ଗାନାର ଓ୍ବାରଙ୍ଗଲରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ବି-ଟେକ ପଢୁଥିବା ଜଣେ ଛାତ୍ରୀ ନିଜର ଜଣେ ସ୍କୁଲ ବେଳର ବନ୍ଧୁଙ୍କ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛି । ତେବେ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ଜେରା ଜାରି ରଖିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବା ନେଇ ପୋଲିସ କହିଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ସ୍ଥାନୀୟ ଓ୍ବାରଙ୍ଗଲର ଭୁପାଲପାଲ୍ଲୀ ବାସିନ୍ଦା ପାବଜୁ ଶଙ୍କରଙ୍କ ଝିଅ ରକ୍ସିତା ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ବି-ଟେକ ତୃତୀୟ ବର୍ଷରେ ଅଧ୍ୟୟନ କରୁଥିଲେ ।ରକ୍ସିତାଙ୍କର ରାହୁଲ ନାମକ ଜଣେ ଯୁବକ ସ୍କୁଲ ବେଳର ସହପାଠୀ ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା । ଉଭୟଙ୍କର କିଛି ପୁରୁଣା ଫଟୋ ମଧ୍ୟ ରହିଥିଲା । ଯାହାକୁ ସମ୍ପୃକ୍ତ ଯୁବକ ରାହୁଲ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବା ପାଇଁ ବାରମ୍ବାର ରକ୍ସିତାଙ୍କୁ ଧମକ ଦେଉଥିଲା । ବାରମ୍ବାର ନିର୍ଯାତନା କାରଣରୁ ଯୁବତୀଜଣଙ୍କ ମାନସିକ ଅବସାଦକୁ ଚାଲିଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ ।