ଚଣ୍ଡିଗଡ: 2024 ସାଧାରଣ ନିର୍ବାଚନରେ ପଞ୍ଜବାରେ ଦେଖିବାକୁ ମିଳିପାରେ BJP-ଅକାଳୀ ଦଳ ମେଣ୍ଟ । ଭାରତୀୟ ଜନତା ପାର୍ଟି ଶିରୋମଣୀ ଅକାଳୀ ଦଳ ସହ ଆସନ ବୁଝମଣା ନେଇ ମେଣ୍ଟ କରିପାରେ ଓ ଉଭୟ ଦଳ ମେଣ୍ଟରେ ଲଢିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିନାହାନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପଞ୍ଜାବ ପ୍ରଭାରୀ ବିଜୟ ରୁପାନୀ । ଏହି ସମ୍ପର୍କିତ ଏକ ପ୍ରଶ୍ନରେ ରୁପାନୀ କହିଛନ୍ତି, ‘‘ଏପର୍ଯ୍ୟନ୍ତ ସେମିତି କିଛି କଥାବାର୍ତ୍ତା ହୋଇନାହିଁ, କିନ୍ତୁ ରାଜନୀତିରେ ସମୟ ଖୁବ ବଳବାନ ।’’ ରୁପାନୀଙ୍କ ଏହି ପରୋକ୍ଷ ମନ୍ତବ୍ୟ ରାଜ୍ୟରେ ପୁଣି ଥରେ ଭାରତୀୟ ଜନତା ପାର୍ଟି ଓ ଶିରୋମଣୀ ଅକାଳୀ ମେଣ୍ଟର ସମ୍ଭାବନାକୁ ବଢାଇଛି । ନିକଟରେ ପଞ୍ଜାବ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସୁନିଲ ଜାଖଡ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଦଳ ନିକଟରେ ତାଙ୍କୁ ପଞ୍ଜାବ ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଛି । ଏହା ଏକ ବେଶ ଭଲ ନିଷ୍ପତ୍ତି ବୋଲି ମଧ୍ୟ ରୁପାନୀ କହିଛନ୍ତି ।
ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ପ୍ରସଙ୍ଗରେ ଉତ୍ତର ରଖି ରୁପାନୀ କହିଛନ୍ତି, ‘ପଞ୍ଜାବରେ ଭୋଟବ୍ୟାଙ୍କ ରାଜନୀତିରୁ ବିକାଶର ରାଜନୀତି ଆରମ୍ଭ ହେବ । ପଞ୍ଜାବବାସୀ ଏବେ ଆମ ଆଦମୀ ପାର୍ଟି ଶାସନରେ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଆମ ଆଦମୀ ପାର୍ଟିକୁ ଜନାଦେଶ ଦେଇ ଅନୁତାପ ମଧ୍ୟ କରୁଛନ୍ତି । ରାଜ୍ୟରେ ଏକ ଭଲ ଚେହେରା ବିଜେପି ରାଜ୍ୟବାସୀଙ୍କୁ ସମ୍ମୁଖକୁ ଆଣିବ । ରାଜ୍ୟରେ ଭୋଟବ୍ୟାଙ୍କ ରାଜନୀତି ପରିବର୍ତ୍ତେ ବିକାଶମୂଳକ ରାଜନୀତି ଆରମ୍ଭ ହେବ ।’