କାବୁଲ: ଆଫଗାନାରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି ତାଲିବାନ । ଭୟରେ ଲୋକମାନେ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଏ ଦୃଶ୍ୟ ହିଁ ବୟାନ କରୁଛି ତାଲିବାନ ପ୍ରତି ଆଫଗାନବାସୀଙ୍କ ଥିବା ଭୟ । ତାଲିବାନ ଆକ୍ରମଣ ଭୟରେ ଆଫଗାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇବା ପରେ ଏବେ ଆଫଗାନକୁ ନିଜ ଅଧିନକୁ ଆଣିଛି ତାଲିବାନ । ତାଲିବାନ ଶାସନରେ ପ୍ରଥମ ଦିନରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଅବସ୍ଥା ରାଷ୍ଟ୍ରପତି ଅସରଫ ଘନିଙ୍କ ଅପେକ୍ଷା ଭଲ ଥିବା କହିଛନ୍ତି ଆଫଗାନରେ ରୁଷର ରାଷ୍ଟ୍ରଦୂତ ଜେମିଟ୍ରି ସୋନଭ ।
ଶାସନର ପ୍ରଥମ ଦିନରେ ଆଫଗାନିସ୍ତାନର ଅବସ୍ଥା ଭଲ ରହିଛି । ବର୍ତ୍ତମାନ ଅସରଫ ଘନିଙ୍କ ଅପେକ୍ଷା ତାଲିବାନ ଆତଙ୍କବାଦୀଙ୍କ ଅଧିନରେ ଥିବା କାବୁଲ ରାଜଧାନୀର ସ୍ଥିତି ଭଲ ରହିଛି । ଆଫଗାନରେ ଥିବା ରାଷ୍ଟ୍ରଦୂତ ସୋମବାର ଇଖୋ ମସ୍କଭି ରେଡିଓ ଷ୍ଟେସନର ସିଧା ପ୍ରସାରଣରେ ଏହା କହିଛନ୍ତି ।