ପାଟନା: ବିହାରରେ ଥମିବାର ନାଁ ଧରୁନି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ପୁନଃ 6 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୀତାମଢ଼ିରେ ଏପରି ଘଟଣା ଘଟିଥିବା ବେଳେ ମୃତ୍ୟୁର କାରଣ ବିଷାକ୍ତ ମଦ ହୋଇଥିବା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇନାହିଁ । ଗୁରୁବାର ସନ୍ଧ୍ୟାରେ ସମସ୍ତ ମୃତକ ଏକାଠି ହୋଇ ମହୁଆଇନକୁ ମଦ ପିଇବାକୁ ଯାଇଥିଲେ । ଏହାପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇ ମୃତକଙ୍କୁ ସେମାନଙ୍କ ସମ୍ପର୍କୀୟ ପୋଲିସ ପହଞ୍ଚିବା ପୂର୍ବରୁ ଦାହ କରିଥିବା ବେଳେ ନରହା କାଲା ଗ୍ରାମବାସୀ ମୃତ ଅବଧେଶ ଯାଦବଙ୍କ ପୋଷ୍ଟମର୍ଟମ କରାଯାଇଥିଲା, ଏହାପରେ ଏସପି ଜଣେ ଗ୍ରାମବାସୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଛତିଶଗଡ଼ରେ ବିଷାକ୍ତ ମଦ ନେଲା ଜୀବନ, ୩ ମୃତ
ସୀତାମଢିରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ:ଛଟ ପୂଜାର ଗୋଟିଏ ଦିନ ପୂର୍ବରୁ ବିହାରରେ ଏପରି ଘଟଣା ସାମ୍ନାକୁ ଆସିଥିବାରୁ ଚାରିଆଡେ ଶୋକରଛାୟା ଖେଳିଯାଇଛି । ଏନେଇ ଖବର ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବିଷାକ୍ତ ମଦ ପିଇ 6 ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ମୃତକଙ୍କ ପରିବାରକୁ ପୋଲିସ ପଚରାଉଚରା କରୁଥିଲେ ମଧ୍ୟ ସେମାନେ ମୁହଁ ଖୋଲୁନାହାନ୍ତି ।